ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ପାଟଧାରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ମିଳିତ କମ୍ବିଂ ଅଭିଯାନ ବେଳେ ଏକ ମାଓବାଦୀ ଡମ୍ପ୍‌ ଠାବ ହୋଇଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ସମସ୍ତ ସାମଗ୍ରୀ ମାଓବାଦୀ ସଂଗଠନର ବୋଲି ନୂଆପଡ଼ା ଜିଲ୍ଲା ପୁଲିସ ସୂଚନା ଦେଇଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତି ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିୟର ଫୋର୍ସ (ଡିଭିଏଫ୍‌) ଓ ସିଆର୍‌ପିଏଫ୍‌ର ୧୯ତମ ବାଟାଲିଅନ୍‌ର ବୋମା ନିଷ୍କ୍ରିୟକରଣ ଦଳ (ବିଡି ଟିମ୍‌) ପାଟଧାରା ସଂରକ୍ଷିତ ଜଙ୍ଗଲର ବରପାଟ ଡଙ୍ଗର ଅଞ୍ଚଳରେ ମିଳିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ। ଏହି ଅଭିଯାନ ସମୟରେ ଜଙ୍ଗଲ ଭିତରୁ ଏକ ଗୁପ୍ତ ମାଓବାଦୀ ଡମ୍ପ୍‌ ଠାବ କରାଯାଇଥିଲା।

ଡମ୍ପ୍‌ରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ହାତତିଆରି କାରବାଇନ୍‌ ସହ ମାଗାଜିନ୍‌, ୨୯ଟି ଏକେ-୪୭ର ଜୀବନ୍ତ ଗୁଳି, ୫୪ଟି ଏସ୍‌ଏଲ୍‌ଆର୍‌ ଗୁଳି, ୨ଟି ଟିଫିନ୍‌ ଆଇଇଡି, ୮ଟି ଜିଲାଟିନ୍‌ ଷ୍ଟିକ୍‌, ଗୋଟିଏ ମଲ୍ଟିମିଟର, ୧୨ ଭୋଲ୍ଟର ବ୍ୟାଟେରି, ପ୍ରାୟ ୧.୫ କିଲୋଗ୍ରାମ ଗନ୍‌ପାଉଡର, ୟୁରିଆ, ସୋଲାର ପ୍ୟାନେଲ୍‌, କୋଡେକ୍ସ ତାର, ପ୍ରାୟ ୧ କିଲୋଗ୍ରାମ ଲୁହାଗୁଳି, ମାଓବାଦୀ ପୋଷାକ, ଜୋତା, ରୋଷେଇ ସାମଗ୍ରୀ ଓ ମେଡିକାଲ୍‌ କିଟ୍‌ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ମାଓବାଦୀମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ତଥାପି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ଜଙ୍ଗଲ ଅଞ୍ଚଳରେ ଥିବା ସମ୍ଭାବ୍ୟ ମାଓ ଆଡ୍ଡା ଓ ଡମ୍ପ୍‌ଗୁଡ଼ିକ ଉପରେ ନିୟମିତ ଚଢ଼ାଉ ଜାରି ରହିଛି ବୋଲି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।