କୁନ୍ଦୁରା: କୋରାପୁଟ ଜିଲ୍ଲାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଏବଂ ବିକ୍ରିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଓ ପ୍ରସ୍ତୁତ ଦେଶୀ ମଦ ଜବତ କରିବା ସହ ତାକୁ ନଷ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଏସପି, ଜୟପୁର ଏସଡିପିଓ ଏବଂ ଅବକାରୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ କୁନ୍ଦୁରା ପୁଲିସ ଏବଂ ବୈପାରିଗୁଡା ଅବକାରୀ ବିଭାଗର ଏକ ମିଳିତ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ କୁନ୍ଦୁରା ବ୍ଲକର ବିଭିନ୍ନ ଜଙ୍ଗଲ ଅଞ୍ଚଳ ଏବଂ ଝରଣା କୂଳରେ ହଠାତ୍ ଚଢ଼ାଉ କରିଥିଲେ। ଦୁର୍ଗମ ଅଞ୍ଚଳର ସୁଯୋଗ ନେଇ ସେଠାରେ ବେଆଇନ ଭାବେ ଦେଶୀ ମଦ ରନ୍ଧାଯାଉଥିବା ଏକାଧିକ ଭାଟିକୁ ମିଳିତ ଟିମ୍ ଠାବ କରିବାରେ ସଫଳ ହୋଇଥିଲେ।

ଏହି ସ୍ପେଶାଲ ଡ୍ରାଇଭ୍ ସମୟରେ ପ୍ରାୟ ୪୫ଶହ ଲିଟର ମହୁଲ ପୋଚ ଏବଂ ୬ଶହ ଲିଟର ପ୍ରସ୍ତୁତ ହୋଇ ରହିଥିବା ଦେଶୀ ମଦ ଜବତ କରାଯାଇଥିଲା। ଏହା ସହିତ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ଓ ଚୁଲି ସବୁକୁ ଘଟଣାସ୍ଥଳରେ ହିଁ ଧ୍ୱଂସ କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ନଷ୍ଟ ହେଉଥିଲା। ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ମହିଳାମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ଏବଂ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରିଥିଲେ।

ମହିଳାମାନଙ୍କ ଅଭିଯୋଗ ଓ ଦାବିକୁ ଆଧାର କରି ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଏହି ସଫଳ ଚଢ଼ାଉ ପରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅଞ୍ଚଳକୁ ମଦମୁକ୍ତ ଓ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିରନ୍ତର ଜାରି ରହିବ।