ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ କରାଯିବ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଡ୍ୟାମର ୪ଟି ଗେଟ୍ ଖୋଲାଯିବ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦେଖି ଧୀରେ ଧୀରେ ଅଧିକ ଗେଟ୍ ଖୋଲାଯିବ ଏବଂ ଜଳ ନିଷ୍କାସନ ପରିମାଣକୁ ପ୍ରାୟ ୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୨.୬୨ ଲକ୍ଷ କ୍ୟୁସେକ ବନ୍ୟା ଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି। ଅନ୍ୟପଟେ ମୁଣ୍ଡଳୀଠାରେ ମଙ୍ଗଳବାର ରାତିରେ ଜଳ ନିଷ୍କାସନ ପରିମାଣ ୫.୫୪ ଲକ୍ଷ କ୍ୟୁସେକ ଥିବା ବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୪.୮୦ ଲକ୍ଷ କ୍ୟୁସେକରେ ପହଞ୍ଚିଛି ଏବଂ ଆଗକୁ ଏହା ଆହୁରି କମିବ ବୋଲି ଆଶା କରାଯାଉଛି। ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଥିବାରୁ ତଳ ମୁଣ୍ଡରେ ତୁରନ୍ତ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହି ସମୟରେ, ମୌସୁମୀ ଋତୁରେ ଜଳଭଣ୍ଡାରର ସଠିକ୍ ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ ରଣନୀତି ଉପରେ ଆଲୋଚନା କରିବା ପାଇଁ ସମ୍ବଲପୁରଠାରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ର ଅଧ୍ୟକ୍ଷତାରେ ‘ଫ୍ଲଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଟିମ୍’ର ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଏହି ବୈଠକରେ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇ ପ୍ରଭାବଶାଳୀ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ବୃଦ୍ଧି ପାଉଥିବା ଜଳସ୍ତରକୁ ନିରାପଦ ଭାବେ ପରିଚାଳନା କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମିତ ପଦକ୍ଷେପ ଗ୍ରହଣ କରାଯାଇଛି।




