କୋରାପୁଟ: ସୀମାନ୍ତ କୋଟିଆ ଅଞ୍ଚଳରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଏବଂ ଦାଦାଗିରି ଥମିବାର ନାଁ ନେଉନାହିଁ। ବାରମ୍ବାର ଓଡ଼ିଶା ସୀମାରେ ପଶି ବିଭିନ୍ନ ବିବାଦ ଉପୁଜାଉଥିବା ଆନ୍ଧ୍ର ପୁଣିଥରେ କୋଟିଆବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି। ଗତକାଲି ଆନ୍ଧ୍ରପ୍ରଦେଶର ସାଲୁର ତହସିଲଦାର ସୁରେଶ ବାବୁଙ୍କ ନେତୃତ୍ୱରେ କିଛି ରାଜସ୍ୱ ଓ ପ୍ରଶାସନିକ ଅଧିକାରୀ କୋଟିଆର ସୀମାନ୍ତ ଗ୍ରାମ ଉପର ସେମ୍ବି, ତଳ ସେମ୍ବି ଏବଂ ନେରେଡି ବାଲସା ଗାଁରେ ଅତର୍କିତ ଭାବେ ପହଞ୍ଚିଥିଲେ।
ସେଠାରେ ଆନ୍ଧ୍ର ଅଧିକାରୀମାନେ ସ୍ଥାନୀୟ କୋଟିଆବାସୀଙ୍କୁ ଜନଗଣନା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କର ନାମ ଆନ୍ଧ୍ରର ଭୋଟର ତାଲିକାରେ ଅଛି କି ନାହିଁ, ତାର ତଦନ୍ତ କରିଥିଲେ। ଏତିକିରେ ଆନ୍ଧ୍ର ଅଧିକାରୀଙ୍କ ମନ ବୁଝିନଥିଲା, ସେମାନେ ସେଠାରେ ଜନଗଣନା ଫର୍ମ ପୂରଣ କରିବାକୁ କୋଟିଆବାସୀଙ୍କୁ ବାଧ୍ୟ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ତୀବ୍ର ଦ୍ୱନ୍ଦ୍ୱ ଓ ଅସନ୍ତୋଷ ପ୍ରକାଶ ପାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟିଆ ଆଞ୍ଚଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶତପ୍ରତିଶତ ଜନଗଣନା ସର୍ଭେ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ସରିଛି। ଓଡ଼ିଶା ପ୍ରଶାସନ ସେଠାରେ ଲୋକଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଛି। ଏଭଳି ସ୍ଥିତିରେ ଆନ୍ଧ୍ର ଅଧିକାରୀମାନେ ବେଆଇନ ଭାବେ ଓଡ଼ିଶା ସୀମା ଭିତରକୁ ପଶି ପୁନର୍ବାର ଜନଗଣନା କରିବା ଏବଂ ଫର୍ମ ପୂରଣ କରିବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି।
ଆନ୍ଧ୍ରର ଏହି ଚାଲ୍ କୋଟିଆକୁ ନିଜ ଆଡ଼କୁ ଟାଣିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ସୀମାନ୍ତରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ଏହା ଉପରେ କେଉଁଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।




