ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ କଡ଼ା ନଜର ରଖାଯାଉଛି। ମଙ୍ଗଳବାର ସୁଦ୍ଧା ଭାରତକୁ ସାମଗ୍ରୀ ପରିବହନ କରୁଥିବା ୫୦ଟି ଭାରତୀୟ ଓ ବିଦେଶୀ ପତାକାଧାରୀ ଜାହାଜ ହର୍ମୁଜ୍‌ ପ୍ରଣାଳୀ ଅତିକ୍ରମ କରିଥିବା ବେଳେ ୯ଟି ଭାରତୀୟ ଜାହାଜ ଏବେ ମଧ୍ୟ ପ୍ରଣାଳୀ ନିକଟରେ ଅବସ୍ଥାନ କରୁଛି। ଏହି ଜାହାଜଗୁଡ଼ିକରେ ମୋଟ ୧୯୮ ଜଣ ଭାରତୀୟ ନାବିକ ରହିଛନ୍ତି।

ପ୍ରଥମେ ଏହି ଜାହାଜଗୁଡ଼ିକ ଫସି ରହିଥିବା ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ପରେ ସ୍ପଷ୍ଟ ହୋଇଛି ଯେ, ସେଗୁଡ଼ିକ କୌଣସି ବିପଦରେ ଫସିନାହାନ୍ତି। ବରଂ ବାଣିଜ୍ୟିକ କିମ୍ବା ଅନ୍ୟାନ୍ୟ ପରିଚାଳନାଗତ କାରଣରୁ ସେମାନେ ସେଠାରେ ଅପେକ୍ଷା କରୁଛନ୍ତି।

ଜାହାଜ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି, ଜାହାଜଗୁଡ଼ିକ ବାଣିଜ୍ୟିକ କାର୍ଯ୍ୟ ପାଇଁ ଅଟକିଛି କିମ୍ବା ଅନ୍ୟ କୌଣସି ପରିଚାଳନାଗତ କାରଣ ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ସେହିପରି ପଶ୍ଚିମ ଏସିଆରୁ ନୂଆ ମାଲ ପରିବହନ ପାଇଁ ଜାହାଜଗୁଡ଼ିକ ଅପେକ୍ଷା କରୁଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଶିଳ୍ପ ବିଶେଷଜ୍ଞଙ୍କ ମତରେ, ଅଞ୍ଚଳର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଶିପିଂ କମ୍ପାନିମାନେ ଜାହାଜ ପଠାଇବା ନେଇ ସତର୍କ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ତେବେ ପରିସ୍ଥିତି ଉପରେ ସରକାର ଓ ସମ୍ପୃକ୍ତ ସଂସ୍ଥାମାନେ ନିରନ୍ତର ନଜର ରଖିଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୧୮ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍‌ ପ୍ରଣାଳୀ ଅତିକ୍ରମ କରିଛି। ଅନ୍ୟ ୩୨ଟି ବିଦେଶୀ ପତାକାଧାରୀ ଜାହାଜ ମଧ୍ୟ ଏହି ରୁଟ୍‌ରେ ଚଳାଚଳ କରୁଛି। ପ୍ରଣାଳୀ ଅତିକ୍ରମ କରିଥିବା ଜାହାଜଗୁଡ଼ିକ ମଧ୍ୟରେ ୧୯ଟି ବଲ୍କ କ୍ୟାରିଅର, ୧୪ଟି ଏଲ୍‌ପିଜି ବାହୀ ଜାହାଜ, ୧୨ଟି ଅଶୋଧିତ ତୈଳ ଟ୍ୟାଙ୍କର, ୨ଟି ଏଲ୍‌ଏନ୍‌ଜି କ୍ୟାରିଅର ଏବଂ ଗୋଟିଏ କଣ୍ଟେନର ଜାହାଜ ସାମିଲ ରହିଛି।