ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ଅନ୍ଲାଇନ୍ ବେଟିଂ ଆପ୍ ମାମଲାରେ ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଏକ ବଡ଼ ସଫଳତା ମିଳିଛି। ଆପ୍ର ସହ-ପ୍ରତିଷ୍ଠାତା ସୌରଭ ଚନ୍ଦ୍ରାକରଙ୍କୁ ଓମାନରେ ଅଟକ ରଖାଯାଇଥିବା ବେଳେ, ତାଙ୍କୁ ଭାରତକୁ ଆଣିବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଅନୁରୋଧକ୍ରମେ ଓମାନ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପ୍ରମାଣ ଆଧାରରେ ଓମାନର ସୁରକ୍ଷା ସଂସ୍ଥା ସୌରଭ ଚନ୍ଦ୍ରାକରଙ୍କୁ ହେପାଜତରେ ନେଇଛି। ତାଙ୍କ ବିରୋଧରେ ବେଆଇନ ଅନ୍ଲାଇନ୍ ବେଟିଂ ନେଟୱର୍କ ପରିଚାଳନା, ଅର୍ଥ ଚାଲାଣ ଏବଂ ହଜାର ହଜାର କୋଟି ଟଙ୍କାର ସନ୍ଦିଗ୍ଧ ଆର୍ଥିକ କାରବାର ସହ ଜଡ଼ିତ ଗୁରୁତର ଅଭିଯୋଗ ରହିଛି।
ଇଡିର ତଦନ୍ତରେ ସାମ୍ନାକୁ ଆସିଛି ଯେ, ମହାଦେବ ବେଟିଂ ଆପ୍ ମାଧ୍ୟମରେ ଦେଶବ୍ୟାପୀ ବେଆଇନ ଅନ୍ଲାଇନ୍ ଜୁଆ ଓ ବେଟିଂ କାରବାର ଚାଲୁଥିଲା। ଏହି ନେଟୱର୍କ ସହ ଲକ୍ଷାଧିକ ଲୋକ ଜଡ଼ିତ ଥିବା ବେଳେ, ହଜାର ହଜାର କୋଟି ଟଙ୍କାର କାରବାର ବିଭିନ୍ନ ବିଦେଶୀ କମ୍ପାନି ଓ ବ୍ୟାଙ୍କ ଖାତା ମାଧ୍ୟମରେ ଚାଲାଣ କରାଯାଇଥିବା ତଦନ୍ତରେ ଉଲ୍ଲେଖ କରାଯାଇଛି।
ସୌରଭ ଚନ୍ଦ୍ରାକର ଏବଂ ତାଙ୍କ ସହଯୋଗୀ ରବି ଉପ୍ପଲଙ୍କ ବିରୋଧରେ ପୂର୍ବରୁ ଲୁକ୍ଆଉଟ୍ ନୋଟିସ ଜାରି କରାଯାଇଥିଲା। ସେହିପରି ରେଡ୍ କର୍ଣ୍ଣର ନୋଟିସ ଜାରି ଏବଂ ବିଦେଶରେ ଥିବା ସମ୍ପତ୍ତିର ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ଆଇନଗତ ପଦକ୍ଷେପ ନିଆଯାଇଥିଲା। ମାମଲାର ତଦନ୍ତ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବହୁ ପରିମାଣର ନଗଦ ଟଙ୍କା, ଗୁରୁତ୍ୱପୂର୍ଣ୍ଣ ଦଲିଲପତ୍ର ଓ ଡିଜିଟାଲ ପ୍ରମାଣ ଜବତ କରାଯାଇଛି।
ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସୌରଭ ଚନ୍ଦ୍ରାକରଙ୍କୁ ଭାରତକୁ ଅଣାଯିବ। ଏହାପରେ ଇଡି ତାଙ୍କୁ ପଚରାଉଚରା କରି ବେଆଇନ ବେଟିଂ ନେଟୱର୍କ, ଆର୍ଥିକ କାରବାର ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ସୂଚନା ମିଳିଛି।




