ମୁମ୍ବାଇ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ନିୟମପାଳନ, ସୁରକ୍ଷା ସଚେତନତା ଓ ଜନହିତ ସମ୍ପର୍କିତ ସନ୍ଦେଶ ପଠାଇବା ନାମରେ ଗ୍ରାହକଙ୍କଠାରୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ନିୟମାନୁସାରେ ପଠାଯାଉଥିବା ଏସ୍‌ଏମ୍‌ଏସ୍‌, ସୁରକ୍ଷା ସତର୍କତା ଓ ସଚେତନତାମୂଳକ ବାର୍ତ୍ତା ପାଇଁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ। ବର୍ତ୍ତମାନ ଅନେକ ବ୍ୟାଙ୍କ ପ୍ରତି ତିନି ମାସରେ ଏହି ସେବା ବାବଦରେ ୧୫ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଉଥିଲେ।

ଆର୍‌ବିଆଇ ଆହୁରି ସ୍ପଷ୍ଟ କରିଛି ଯେ, ୫୦୦ ଟଙ୍କା କିମ୍ବା ତାହାଠାରୁ କମ୍‌ ମୂଲ୍ୟର କାରବାର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ପଠାଇବା ବାଧ୍ୟତାମୂଳକ ରହିବ ନାହିଁ। ଏହା ଫଳରେ ଅନାବଶ୍ୟକ ବାର୍ତ୍ତାର ସଂଖ୍ୟା କମିବା ସହ ବ୍ୟାଙ୍କମାନଙ୍କ ଉପରେ ଖର୍ଚ୍ଚର ଚାପ ମଧ୍ୟ ହ୍ରାସ ପାଇବ।

ବିଶେଷଜ୍ଞଙ୍କ ମତରେ, ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ ବ୍ୟାଙ୍କଗୁଡ଼ିକର ଫି ଆୟରେ କିଛି ପ୍ରଭାବ ପଡ଼ିବ। ସେହିପରି, ଏସ୍‌ଏମ୍‌ଏସ୍‌ ସେବା ଯୋଗାଉଥିବା ଟେଲିକମ୍‌ କମ୍ପାନିଗୁଡ଼ିକର ଆୟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇପାରେ।