ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ‘ସ୍କାଏୱାକ୍’ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଏବେ ରାଜନୈତିକ ସରଗରମ ବୃଦ୍ଧି ପାଇଛି। ରସୁଲଗଡ଼ରୁ ପଳାଶୁଣି ମଧ୍ୟରେ ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଆଧୁନିକ ସ୍କାଏୱାକ୍ ଏବଂ ୩ଟି ଫୁଟ୍ ଓଭରବ୍ରିଜ୍ ପ୍ରକଳ୍ପର ଶୁଭାରମ୍ଭ ସହିତ ଏକ ନୂଆ ବିବାଦ ମଧ୍ୟ ମୁଣ୍ଡ ଟେକିଛି।
ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଆୟୋଜିତ ଏହି ସରକାରୀ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ଆପତ୍ତି ଉଠାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଏକ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବକୁ ଶାସକ ବିଜେପି ନିଜର ଦଳୀୟ ମଞ୍ଚରେ ପରିଣତ କରିଛି। କାର୍ଯ୍ୟକ୍ରମରେ ପ୍ରୋଟୋକଲ୍ ଉଲ୍ଲଂଘନ କରାଯାଇ ସ୍ଥାନୀୟ ନିର୍ବାଚିତ ବିଧାୟକଙ୍କୁ ଯଥୋଚିତ ସମ୍ମାନ କିମ୍ବା ଗୁରୁତ୍ୱ ଦିଆଯାଇ ନାହିଁ।ବଦଳରେ କୌଣସି ସାମ୍ବିଧାନିକ ପଦବୀରେ ନଥିବା ଅଣ-ନିର୍ବାଚିତ ବ୍ୟକ୍ତିମାନଙ୍କୁ ସରକାରୀ ମଞ୍ଚରେ ଅତିଥି ଭାବେ ସ୍ଥାନ ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ, ଏହି ପ୍ରକଳ୍ପକୁ କେନ୍ଦ୍ର କରି ଭୁବନେଶ୍ୱର ବିଜେପିର ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ସାମ୍ନାକୁ ଆସିଛି। ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ଏବଂ ସମୀକରଣକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୂମିକାକୁ ନେଇ ଦଳର ଏକ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଯେ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭୁବନେଶ୍ୱର ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଅଣଦେଖା କରିଛନ୍ତି। ଏହାର ବଦଳରେ ସମ୍ପ୍ରତି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ମଞ୍ଚରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି।
ନୂଆ କରି ଦଳକୁ ଆସିଥିବା ନେତାଙ୍କୁ ସରକାରୀ ସ୍ତରରେ ଏଭଳି ଗୁରୁତ୍ୱ ମିଳିବା ଦ୍ୱାରା ଦଳ ପାଇଁ ବର୍ଷ ବର୍ଷ ଧରି କାମ କରୁଥିବା ପୁରୁଣା ନେତା ଓ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦ ଆଗାମୀ ଦିନରେ ଭୁବନେଶ୍ୱର ରାଜନୀତିରେ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।




