ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରିବା ଅଭିଯୋଗରେ ମଦନପୁର ସରକାରୀ (ଏସଏସଡି) ହାଇସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ତୁରନ୍ତ ପ୍ରଭାବରୁ ପଦରୁ ହଟାଇ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେର ସେହି ବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲା ପ୍ରଶାସନ ନଜରକୁ ଆସିବା ପରେ ଜିଲ୍ଲାପାଳ ଜୁଲାଇ ୮ ତାରିଖରେ ଏକ ଆଦେଶନାମା ଜାରି କରିଛନ୍ତି।

ବିଦ୍ୟାଳୟର ଶିକ୍ଷାଗତ ପରିବେଶ ଏବଂ ପ୍ରଶାସନିକ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଏଥିସହ ତାଙ୍କୁ ତୁରନ୍ତ କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପଟେ, ବିଦ୍ୟାଳୟର ପାଠପଢ଼ା ଓ ପରିଚାଳନାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ବିଦ୍ୟାଳୟର ବିଜ୍ଞାନ ଟିଜିଟି (TGT) ଶିକ୍ଷକ ମୁକେଶ ନାଏକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ସ୍ଥାନରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ହାନି କରୁଥିବା ଏଭଳି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।