ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବାଂଲାଦେଶରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଅସ୍ୱାସ୍ଥ୍ୟକର ପରିବେଶ, ଅପପୁଷ୍ଟି, ପ୍ରାଥମିକ ସ୍ୱାସ୍ଥ୍ୟସେବାର ଅଭାବ ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ସେଠାରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଶେଷ କରି ମିଳିମିଳା ଏବଂ ନିମୋନିଆ ଯୋଗୁଁ ବହୁ ସଂଖ୍ୟାରେ ଶିଶୁ ପ୍ରାଣ ହରାଉଥିବା ଏକ ନୂତନ ରିପୋର୍ଟରୁ ପ୍ରକାଶ ପାଇଛି।
ବାଂଲାଦେଶର ପ୍ରମୁଖ ଗଣମାଧ୍ୟମ ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ଦେଶର ଦୁର୍ବଳ ପ୍ରତିଷେଧକ ବ୍ୟବସ୍ଥା ଓ ଅପପୁଷ୍ଟି ଯୋଗୁଁ କୋମଳମତି ଶିଶୁମାନେ ମାରାତ୍ମକ ରୋଗର ଶିକାର ହେଉଛନ୍ତି। କେବଳ ୨୦୨୬ ମାର୍ଚ୍ଚ ମାସରୁ ଜୁନ୍ ୩୦ ତାରିଖ ମଧ୍ୟରେ ବାଂଲାଦେଶରେ ୧,୦୧,୦୭୭ରୁ ଅଧିକ ସନ୍ଦିଗ୍ଧ ମିଳିମିଳା ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିଯୋଗୁଁ ୬,୨୫୮ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ମିଳିମିଳା ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି। ଏହା ବ୍ୟତୀତ ଦେଶରେ ନିମୋନିଆ ଯୋଗୁଁ ବାର୍ଷିକ ପ୍ରାୟ ୨୪,୦୦୦ ଶିଶୁ ପ୍ରାଣ ହରାଉଛନ୍ତି, ଅର୍ଥାତ୍ ଦୈନିକ ହାରାହାରି ୬୦ ଜଣ ଶିଶୁ ନିମୋନିଆ ଯୋଗୁଁ ଆଖି ବୁଜୁଛନ୍ତି। ବାଂଲାଦେଶରେ ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ହାର ପ୍ରତି ୧,୦୦୦ ଜୀବିତ ଜନ୍ମରେ ପ୍ରାୟ ୩୩ ରହିଛି, ଯାହା ଗରିବ ପରିବାରଗୁଡ଼ିକରେ ସବୁଠାରୁ ଅଧିକ।
ଦେଶରେ ଗତ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ହାର (FVC) ହ୍ରାସ ପାଇଛି। ୨୦୧୯ ମସିହାରେ ଏହା ୮୩.୯ ପ୍ରତିଶତ ଥିବା ବେଳେ ୨୦୨୩ ସୁଦ୍ଧା ଏହା ୮୧. ପ୍ରତିଶତକୁ ଖସି ଆସିଛି। ଗ୍ରାମାଞ୍ଚଳ (୮୪.୬%) ତୁଳନାରେ ସହରାଞ୍ଚଳରେ (୭୯%) ଟିକାକରଣର ସ୍ଥିତି ଅଧିକ ଖରାପ ରହିଛି। ଜନ୍ମ ସମୟରେ ଦିଆଯାଉଥିବା ବିସିଜି (BCG) ଟିକାକରଣ ପ୍ରାୟ ୯୮ ପ୍ରତିଶତ ରହୁଥିଲେ ସୁଦ୍ଧା, ୧୫ ମାସ ବୟସରେ ଦିଆଯାଉଥିବା ମିଳିମିଳା-ରୁବେଲା (MR2) ର ଦ୍ୱିତୀୟ ଡୋଜ୍ ନେବା ପୂର୍ବରୁ ଅନେକ ଶିଶୁ ଟିକାକରଣ ପ୍ରକ୍ରିୟାରୁ ବାଦ୍ ପଡ଼ୁଛନ୍ତି। ଏଥିସହ ଟିକାକରଣ କାର୍ଡ ଓ ପଞ୍ଜିକରଣ ବହିର ଅଭାବ ମଧ୍ୟ ଦେଖାଦେଇଛି।
ବାଂଲାଦେଶରେ କେବଳ ୫୬ ପ୍ରତିଶତ ଶିଶୁଙ୍କୁ ହିଁ ଜନ୍ମର ପ୍ରଥମ ୬ ମାସ ମଧ୍ୟରେ କେବଳ ମା’ କ୍ଷୀର ମିଳିପାରୁଛି। ଅଧାରୁ ଅଧିକ ଶିଶୁ ମା’ କ୍ଷୀରରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। କମ୍ ବୟସରେ ମା’ ହେବା, ପର୍ଯ୍ୟାପ୍ତ ମାତୃତ୍ୱ କାଳୀନ ଛୁଟି ନମିଳିବା ଏବଂ ବଜାରରେ ମିଳୁଥିବା କୃତ୍ରିମ କ୍ଷୀର ର ଅନିୟନ୍ତ୍ରିତ ବ୍ୟବହାର ଏହାର ମୁଖ୍ୟ କାରଣ ସାଜିଛି। ଏହାଛଡ଼ା ଦେଶର ପ୍ରାୟ ୪୩.୬ ପ୍ରତିଶତ ଶିଶୁ ରକ୍ତହୀନତା ବା ଆନିମିଆର ଶିକାର ହେଉଛନ୍ତି।




