ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସରେ ଖେଳାଯିବାକୁ ଥିବା ଐତିହାସିକ ମହିଳା ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ଓପନର୍‌ ପ୍ରତୀକା ରାୱଲ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଅଭିଜ୍ଞ ବ୍ୟାଟର୍‌ ପ୍ରିୟା ପୁନିଆଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାରଙ୍କ ସୂଚନା ଅନୁଯାୟୀ, ଚଳିତ ମାସରେ ଟଣ୍ଟନ୍‌ରେ ଖେଳାଯାଇଥିବା ଭାରତ-ଏ ମ୍ୟାଚ୍‌ ସମୟରେ ପ୍ରତୀକାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଚିକିତ୍ସା ସତ୍ତ୍ୱେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦଳ ପରିଚାଳନା ପକ୍ଷରୁ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରତୀକା ପୂର୍ବରୁ ମଧ୍ୟ ଆହତ ସମସ୍ୟା କାରଣରୁ ଗତ ବର୍ଷ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିଲେ। ଏଭଳି ସ୍ଥିତିରେ ପୁଣିଥରେ ଆହତ ହେବା ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

୧୪୨ ବର୍ଷ ପରେ ଲର୍ଡ୍ସରେ ଐତିହାସିକ ମହିଳା ଟେଷ୍ଟ୍‌

‘କ୍ରିକେଟ୍‌ର ମକ୍କା’ ଭାବେ ପରିଚିତ ଲର୍ଡ୍ସ ମାଇଦାନରେ ଏହି ଟେଷ୍ଟ୍‌ ମ୍ୟାଚ୍‌ ଐତିହାସିକ ହେବାକୁ ଯାଉଛି। ପୁରୁଷ ଟେଷ୍ଟ୍‌ କ୍ରିକେଟ୍‌ ଆରମ୍ଭ ହେବାର ୧୪୨ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ପ୍ରସିଦ୍ଧ ଭେନ୍ୟୁରେ ମହିଳା ଟେଷ୍ଟ୍‌ ମ୍ୟାଚ୍‌ ଆୟୋଜିତ ହେଉଛି। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଯାଉଛି।