ନୂଆଦିଲ୍ଲୀ: ଦିଲ୍ଲୀରେ ବେଆଇନ ଓ ବିପଦଜନକ କୋଠା ନିର୍ମାଣକୁ ନେଇ ସୁପ୍ରିମ୍‌କୋର୍ଟ କଠୋର ମନୋଭାବ ପ୍ରଦର୍ଶନ କରିଛନ୍ତି। ଏଭଳି ନିର୍ମାଣ ବିରୋଧରେ ଏପର୍ଯ୍ୟନ୍ତ କେଉଁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍‌ସିଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏମ୍‌ସିଡି କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ହେବାକୁ ସମନ ଜାରି କରାଯାଇଛି।

ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ରାଜଧାନୀରେ ବେଆଇନ ନିର୍ମାଣ ଏବଂ ବିପଦପୂର୍ଣ୍ଣ କୋଠା ସମସ୍ୟା ବହୁ ବର୍ଷ ଧରି ଚାଲିଆସୁଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପ୍ରଭାବଶାଳୀ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ଏହା ଫଳରେ ନାଗରିକଙ୍କ ଜୀବନ ସୁରକ୍ଷା ବିପଦରେ ପଡ଼ୁଥିବା ସହ ବାରମ୍ବାର କୋଠା ଭୁଶୁଡ଼ିବା ଘଟଣାରେ ପ୍ରାଣହାନି ଘଟୁଛି।

ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ବେଆଇନ ନିର୍ମାଣ ଚାଲିଥିବା ସମୟରେ ସମ୍ପୃକ୍ତ ଅଧିକାରୀମାନେ କାହିଁକି ତୁରନ୍ତ ହସ୍ତକ୍ଷେପ କରୁନାହାନ୍ତି। ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ରୋକିବା ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, ତାହାର ସ୍ପଷ୍ଟ ଉତ୍ତର ମଧ୍ୟ ମାଗିଛନ୍ତି। ନିୟମିତ ନିରୀକ୍ଷଣ ବ୍ୟବସ୍ଥା ସୁଦୃଢ଼ ହେଲେ ଅଧିକାଂଶ ବେଆଇନ ନିର୍ମାଣକୁ ଆରମ୍ଭରୁ ରୋକାଯାଇପାରିବ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।

ସୁପ୍ରିମ୍‌କୋର୍ଟ ଏମ୍‌ସିଡିକୁ ଦିଲ୍ଲୀରେ ଚିହ୍ନଟ ହୋଇଥିବା ସମସ୍ତ ବିପଦଜନକ କୋଠାର ତାଲିକା, ସେଗୁଡ଼ିକ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ, ଭଙ୍ଗାଯାଇଥିବା କୋଠାର ସଂଖ୍ୟା ଏବଂ ଏବେ ମଧ୍ୟ ବିପଦଜନକ ସ୍ଥିତିରେ ରହିଥିବା କୋଠାର ବିବରଣୀ ଦାଖଲ କରିବାକୁ କହିଛନ୍ତି। ଏହା ସହ ବେଆଇନ ନିର୍ମାଣକୁ ପ୍ରୋତ୍ସାହନ କିମ୍ବା ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କେଉଁ ଆପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେଥିର ବିସ୍ତୃତ ତଥ୍ୟ ମଧ୍ୟ ରିପୋର୍ଟରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ଶୁଣାଣିରେ ଏମ୍‌ସିଡି ପକ୍ଷରୁ ଦାଖଲ ହେବାକୁ ଥିବା ରିପୋର୍ଟକୁ ଆଧାର କରି ସୁପ୍ରିମ୍‌କୋର୍ଟ ଆବଶ୍ୟକ ହେଲେ ଅଧିକ କଠୋର ନିର୍ଦ୍ଦେଶ ଜାରି କରିପାରନ୍ତି।