କାନବେରା: ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତି ଉତ୍ପାଦନ କ୍ଷମତା ବଢ଼ାଇବା ଦିଗରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଅଷ୍ଟ୍ରେଲିଆରୁ ୟୁରାନିୟମ୍‌ ଯୋଗାଣ ପାଇଁ ଆବଶ୍ୟକ ପ୍ରଶାସନିକ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ଭାରତର ବେସାମରିକ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଉଭୟ ଦେଶ ଏହି ଚୁକ୍ତିକୁ ଅନ୍ତିମ ରୂପ ଦେଇଥିଲେ।

ଏହି ବ୍ୟବସ୍ଥା ଅନୁଯାୟୀ, ଅଷ୍ଟ୍ରେଲିଆ ବାଣିଜ୍ୟିକ ଭାବେ ଭାରତର ବେସାମରିକ ପରମାଣୁ ବିଦ୍ୟୁତ୍‌ କାର୍ଯ୍ୟକ୍ରମ ପାଇଁ ୟୁରାନିୟମ୍‌ ରପ୍ତାନି କରିପାରିବ। ଏହା ଭାରତର ଦୀର୍ଘମିଆଦୀ ଶକ୍ତି ସୁରକ୍ଷା ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହାୟକ ହେବ।

ଅଷ୍ଟ୍ରେଲିଆ ପାଖରେ ବିଶ୍ୱର ପ୍ରାୟ ୨୮ ପ୍ରତିଶତ ୟୁରାନିୟମ୍‌ ଭଣ୍ଡାର ଥିବାବେଳେ ସେ ନିଜେ ପରମାଣୁ ଶକ୍ତି ଉତ୍ପାଦନ କିମ୍ବା ଆଣବିକ ଅସ୍ତ୍ର ପାଇଁ ଏହାର ବ୍ୟବହାର କରୁନାହିଁ। ଅନ୍ୟପକ୍ଷରେ, ବଢ଼ୁଥିବା ଶକ୍ତି ଚାହିଦାକୁ ଦୃଷ୍ଟିରେ ରଖି ଭାରତ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବର୍ତ୍ତମାନ ଦେଶର ମୋଟ ବିଦ୍ୟୁତ୍‌ ଉତ୍ପାଦନରେ ପରମାଣୁ ଶକ୍ତିର ଅଂଶ ପ୍ରାୟ ୩ ପ୍ରତିଶତ ରହିଛି।

ଦେଶରେ ୟୁରାନିୟମ୍‌ ଭଣ୍ଡାର ସୀମିତ ଥିବାରୁ ପରମାଣୁ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଭାରତକୁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ସହ ୟୁରାନିୟମ୍‌ ଯୋଗାଣ ଚୁକ୍ତି ଭବିଷ୍ୟତରେ ସ୍ଥିର ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ସହ ପରମାଣୁ ଶକ୍ତି କ୍ଷେତ୍ରର ବିସ୍ତାରକୁ ସହଜ କରିବ।

ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ନିୟମିତ ୟୁରାନିୟମ୍‌ ଯୋଗାଣ ଫଳରେ ଦେଶର ପରମାଣୁ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ଉତ୍ପାଦନ କ୍ଷମତା ଆହୁରି ସ୍ଥିର ହେବ। ଏହା କୋଇଲା ଉପରେ ନିର୍ଭରଶୀଳତା କମାଇବା ସହ କାର୍ବନ ନିର୍ଗମନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। ସେହିପରି ଏହି ଚୁକ୍ତି ଭାରତ-ଅଷ୍ଟ୍ରେଲିଆ ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଉଭୟ ଦେଶ ମଧ୍ୟରେ ଶକ୍ତି ଓ ଆର୍ଥିକ ସହଯୋଗକୁ ନୂଆ ଦିଗ ଦେବ।