ଚେନ୍ନାଇ: ତାମିଲନାଡୁ ସରକାର ସରକାରୀ ସ୍କୁଲ୍ଗୁଡ଼ିକରେ ରାଜନୈତିକ କାର୍ଯ୍ୟକଳାପକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟର କୌଣସି ସରକାରୀ ସ୍କୁଲ୍ ପରିସରରେ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ଏନେଇ ରାଜ୍ୟ ସରକାର ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।
ଗଣଶିକ୍ଷା ମନ୍ତ୍ରୀ ରାଜ ମୋହନ କହିଛନ୍ତି ଯେ, କେବଳ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସ୍କୁଲ୍ ଓ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ଏହା ବ୍ୟତୀତ କୌଣସି ରାଜନୈତିକ କାର୍ଯ୍ୟକ୍ରମ କିମ୍ବା ଦଳୀୟ ପ୍ରଚାର ପାଇଁ ସ୍କୁଲ୍ ପରିସର ବ୍ୟବହାର କରାଯିବ ନାହିଁ।
ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରେଣୀଗୃହ କେବଳ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପାଇଁ ଉଦ୍ଦିଷ୍ଟ। ସେଗୁଡ଼ିକୁ କୌଣସି ରାଜନେତାଙ୍କ ପ୍ରଚାର କିମ୍ବା ପ୍ରଶଂସାର ମଞ୍ଚ ଭାବେ ବ୍ୟବହାର କରାଯିବ ନାହିଁ।
ଏହାସହ ସରକାରୀ ସ୍କୁଲ୍ ପରିସରରେ କୌଣସି ରାଜନେତାଙ୍କ ଜନ୍ମଦିନ କିମ୍ବା ରାଜନୈତିକ ସମ୍ପର୍କିତ ଉତ୍ସବ ପାଳନ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସ୍କୁଲ୍ ପରିବେଶକୁ ରାଜନୀତିମୁକ୍ତ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା।




