ଜେରୁଜେଲମ: ବିଭିନ୍ନ ସାମରିକ ଓ ରଣନୀତିକ ସେକ୍ଟରରେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସହମତି ପ୍ରକାଶ କରିଛନ୍ତି। ଗୁରୁବାର ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ୍ ଆଲୋଚନା ପରେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଲୋଚନା ସମୟରେ ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଟ୍ରମ୍ପ ଇସ୍ରାଏଲକୁ ଅବଗତ କରାଇଥିଲେ।ଏହା ସହିତ ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଇସ୍ରାଏଲ ବିରୋଧରେ ଦିଆଯାଉଥିବା ତୀବ୍ର ବୟାନବାଜିକୁ ନେଇ ନେତନ୍ୟାହୁ ଚିନ୍ତା ପ୍ରକଟ କରିଛନ୍ତି।
ଆମେରିକା-ଇରାନ ମଧ୍ୟରେ ଚାଲିଥିବା କୂଟନୀତିକୁ ଇସ୍ରାଏଲ ବିଗାଡୁଛି ବୋଲି ଏର୍ଦୋଗାନ ସମ୍ପ୍ରତି ଅଭିଯୋଗ କରିଥିଲେ। ଅନ୍ୟପଟେ ତୁର୍କୀକୁ ଆମେରିକା ଏଫ୍-୩୫ (F-35) ଯୁଦ୍ଧବିମାନ ବିକ୍ରି କରିବା ସମ୍ଭାବନାକୁ ନେଇ ମଧ୍ୟ ଇସ୍ରାଏଲ ଆଶଙ୍କାରେ ରହିଛି।ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଟ୍ରମ୍ପ ଓ ନେତନ୍ୟାହୁଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଛି। ଗତ କିଛି ଦିନ ମଧ୍ୟରେ ଆମେରିକା ଇରାନ ଭିତରେ ଥିବା ଏକାଧିକ ସାମରିକ ଘାଟି ଉପରେ ଆକ୍ରମଣ କରି ବ୍ୟାପକ କ୍ଷତି ପହଞ୍ଚାଇଛି। ଏହାର ଜବାବରେ ଇରାନ ମଧ୍ୟ କୁଏତ, ବାହାରିନ, କତାର ଏବଂ ଜର୍ଡାନରେ ଥିବା ଆମେରିକା ସେନା ଛାଉଣୀ ଉପରେ ମିସାଇଲ ଓ ଡ୍ରୋନ୍ ମାଡ଼ କରିଛି।ଏହି ବିସ୍ଫୋରକ ସ୍ଥିତି ମଧ୍ୟରେ ଇସ୍ରାଏଲ ସେନା ମୁଖ୍ୟ ଏୟାଲ ଜାମିର କହିଛନ୍ତି ଯେ, ସେମାନେ ଇରାନ ଓ ଲେବାନନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।
ସେହିପରି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ୍ ଏକ ବଡ଼ ବୟାନ ଦେଇ କହିଛନ୍ତି, ଯେପର୍ଯ୍ୟନ୍ତ ହିଜବୁଲ୍ଲା ସମ୍ପୂର୍ଣ୍ଣ ରୂପେ ନିରସ୍ତ୍ର ନ ହୋଇଛି, ସେପର୍ଯ୍ୟନ୍ତ ଇସ୍ରାଏଲ ସେନା ଲେବାନନ ମାଟିରୁ ହଟିବ ନାହିଁ। ଏଥିପାଇଁ ଇସ୍ରାଏଲ କାହାର ଅନୁମତି ଲୋଡ଼େ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।




