ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସମୟରେ ମୃତ୍ୟୁ ଘଟିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାରେ ଅବହେଳାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ସମ୍ପୃକ୍ତ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଅନ୍-ଡ୍ୟୁଟି ଆମ୍ବୁଲାନ୍ସ ଚାଳକ ଏବଂ କ୍ଲଷ୍ଟର ଲିଡରଙ୍କୁ ଚାକିରିରୁ ନିଲମ୍ବିତ କରିଛି।
ସୂଚନା ଅନୁଯାୟୀ, ନର୍ଲା ବ୍ଲକ୍ ତୁଳାପଡ଼ା ଗାଁର ରିୟା ନାୟକ ନାମ୍ନୀ ଜଣେ ନାବାଳିକା ପ୍ରବଳ ଜ୍ୱର ଓ ପେଟ ବ୍ୟଥା ଯୋଗୁଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସଂସ୍ଥାର ସ୍ପଷ୍ଟୀକରଣ ଅନୁଯାୟୀ, ସକାଳ ୯:୩୨ରେ କଲ୍ ଆସିବା ପରେ ରୁପ୍ରା ପିଏଚ୍ସିରୁ ଏକ ଆମ୍ବୁଲାନ୍ସ ପଠାଯାଇଥିଲା, ଯାହା ୧୦:୦୧ରେ ପହଞ୍ଚି ରୋଗୀଙ୍କୁ ନେଇ ବାହାରିଥିଲା।
ତେବେ ଡାକ୍ତରଖାନା ଯିବା ବାଟରେ ଚାଟିକୋଡା ନିକଟରେ ଆମ୍ବୁଲାନ୍ସର ପଛ ଚକ ପଙ୍କଚର ହୋଇଯାଇଥିଲା। ଚାଳକ ଜଣକ ଷ୍ଟେପନି ଲଗାଇଥିଲେ ମଧ୍ୟ କମ୍ ପବନ ଯୋଗୁଁ ସେହି ଚକଟି ମଧ୍ୟ ପଙ୍କଚର ହୋଇଯାଇଥିଲା।ଏହାପରେ ସକାଳ ୧୦:୩୧ରେ କଲ୍ ସେଣ୍ଟରକୁ ସୂଚନା ଦେଇ ଅନ୍ୟ ଏକ ଆମ୍ବୁଲାନ୍ସ ମଗାଯାଇଥିଲା। କଳାହାଣ୍ଡି ଡିଏଚ୍ଏଚ୍ରୁ ବାହାରିଥିବା ଦ୍ୱିତୀୟ ଆମ୍ବୁଲାନ୍ସଟି ପୂର୍ବାହ୍ନ ୧୧:୧୧ରେ ପହଞ୍ଚି ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହିରାପଦର ରେଳ କ୍ରସିଂ ନିକଟରେ ଆମ୍ବୁଲାନ୍ସ ଖରାପ ହେବା ଏବଂ ବିକଳ୍ପ ବ୍ୟବସ୍ଥା ତୁରନ୍ତ ନହେବା ଯୋଗୁଁ ରୋଗୀ ପ୍ରାୟ ୩ ଘଣ୍ଟା ରାସ୍ତା କଡ଼ରେ ପଡ଼ିରହିଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ସରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ଏବଂ ରିପୋର୍ଟ ଆଧାରରେ ପରବର୍ତ୍ତୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




