ଅକଲ୍ୟାଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୩ଟି ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଗଭର୍ଣ୍ଣମେଣ୍ଟ ହାଉସ୍ରେ ଏକ ଭବ୍ୟ ତଥା ପାରମ୍ପରିକ ସାମରିକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ୱାଗତ ସମାରୋହରେ ନ୍ୟୁଜିଲ୍ୟାଣ୍ଡର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଆଦିବାସୀଙ୍କ ପାରମ୍ପରିକ ‘ମାଓରୀ ପୋହିରି’ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଦର୍ଶାଉଛି ।
ବିଗତ ୪ ଦଶନ୍ଧି ଅର୍ଥାତ୍ ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲ୍ୟାଣ୍ଡ ଗସ୍ତ । ଏହି ଗସ୍ତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ନିଜେ ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବିନିଯୋଗ, ଶିକ୍ଷା, ପ୍ରତିରକ୍ଷା ଏବଂ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ।
ବିନିମୟଅକଲ୍ୟାଣ୍ଡରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ । ସେଠାରେ ରହୁଥିବା ଭାରତୀୟମାନେ ପଞ୍ଜାବ ଓ ତାମିଲନାଡୁର ପାରମ୍ପରିକ ନୃତ୍ୟ, କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଫ୍ୟୁଜନ୍ ଏବଂ ‘ବନ୍ଦେ ମାତରମ୍’ ଗାନ କରି ପିଏମଙ୍କୁ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି କାର୍ଯ୍ୟକ୍ରମର ଫଟୋ ସେୟାର କରି ଲେଖିଛନ୍ତି, “ପିଢ଼ି ଓ ମହାଦେଶ ପରେ ମଧ୍ୟ ଭାରତର ସାଂସ୍କୃତିକ ଐତିହ୍ୟକୁ ଜୀବନ୍ତ ରଖିଥିବା ଏବଂ ଭାରତ-ନ୍ୟୁଜିଲ୍ୟାଣ୍ଡର ସମ୍ପର୍କକୁ ମଜବୁତ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମୁଁ ପ୍ରଶଂସା କରୁଛି ।” ସେ ‘ନାଦ ଭୋକାଲ୍ ଏନସେମ୍ବଲ୍’ ର ସଙ୍ଗୀତ ପ୍ରଦର୍ଶନକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ମଧ୍ୟ ଏହି ପାରମ୍ପରିକ ସ୍ୱାଗତ ସମ୍ବର୍ଦ୍ଧନାର ଭିଡିଓ ସେୟାର କରିଛନ୍ତି । ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ସହଯୋଗକୁ ଗଭୀର କରିବା ପାଇଁ ଅନେକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।




