ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଅକ୍ଷୟ କୁମାର ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଓଡ଼ିଶା ଭିଜିଲାନ୍ସ । ତେବେ ଚଢ଼ାଉ ସମୟରେ ଲାଞ୍ଚ ଟଙ୍କା ଧରି ASI ଜଣକ ମୋଟରସାଇକେଲ୍‌ରେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଗତ ଜୁଲାଇ ୫, ୨୦୨୬ରେ ନାଚୁଣୀ ଥାନାରେ ଏକ ଜମି ବିବାଦକୁ ନେଇ ଦୁଇଟି ପାଲଟା ମାମଲା ରୁଜୁ ହୋଇଥିଲା । ASI ଅକ୍ଷୟ ସେଠୀ ଏହି ଦୁଇଟି ମାମଲାର ତଦନ୍ତକାରୀ ଅଧିକାରୀ (IO) ଥିଲେ । ସେହି ଦିନ ସନ୍ଧ୍ୟାରେ ଉଭୟ ପକ୍ଷ ମଧ୍ୟରେ ଆପୋସ ସମାଧାନ ବା ଆପ୍ରୋମାଇଜ୍ ହୋଇଯାଇଥିଲା । ଏହା ସତ୍ତ୍ୱେ ମାମଲାକୁ ଥାନା ସ୍ତରରେ ରଫାଦଫା କରିବା ପାଇଁ ASI ଜଣକ ଉଭୟ ପକ୍ଷଙ୍କଠାରୁ ୫-୫ ହଜାର ହିସାବରେ ମୋଟ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଅଭିଯୋଗକାରୀ ଜଣକ ଓଡ଼ିଶା ବାହାରେ ଚାକିରି କରୁଥିବାରୁ ତାଙ୍କୁ ଜୁଲାଇ ୧୦ ତାରିଖରେ ଏକ ଆଫିଡେଭିଟ୍ ସହ ଲାଞ୍ଚ ଟଙ୍କା ଦେବାକୁ ASI କହିଥିଲେ । ଏ ନେଇ ଅଭିଯୋଗକାରୀ ଜଣକ ସିଧାସଳଖ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଅଭିଯୋଗକୁ ଆଧାର କରି ଜୁଲାଇ ୧୦ ତାରିଖ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ଏକ ଫାନ୍ଦ (Trap) ପ୍ରସ୍ତୁତ କରିଥିଲା । ନାଚୁଣୀ ଥାନା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ASI ଅକ୍ଷୟ ସେଠୀ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା ।

ଭିଜିଲାନ୍ସ ଟିମ୍‌କୁ ନିଜ ଆଡ଼କୁ ଆସୁଥିବା ଦେଖି ASI ଜଣକ ଚତୁରତାର ସହ ସେହି ଲାଞ୍ଚ ଟଙ୍କା ଧରି ନିଜ ମୋଟରସାଇକେଲ୍‌ରେ ସେଠାରୁ ଫେରାର ହୋଇଯାଇଥିଲେ ।ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ନାଚୁଣୀ ଥାନା ପୋଲିସର ଉପସ୍ଥିତିରେ ଅଭିଯୋଗକାରୀ ASIଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଓ ଖୋଳତାଡ ଜାରି ରହିଛି ।

ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା (କେସ୍ ନଂ-୧୬, ତା ୧୦.୦୭.୨୦୨୬) ରୁଜୁ କରାଯାଇଛି । ବର୍ତ୍ତମାନ ଫେରାର ଥିବା ASIଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।