ନୂଆଦିଲ୍ଲୀ: କୂଟନୀତି ଏବଂ ସାଂସ୍କୃତିକ ସମ୍ପର୍କର ଏକ ଅପୂର୍ବ ସମନ୍ୱୟ ଦେଖାଇ ଆଫଗାନିସ୍ତାନର କୃଷି ମନ୍ତ୍ରୀ ମଲ୍ଲଭି ଅତାଉଲ୍ଲା ଓମାରି ଏକ ବଡ଼ ବୟାନ ଦେଇଛନ୍ତି। ଭାରତ ଏବଂ ଆଫଗାନିସ୍ତାନର ‘ଡିଏନ୍ଏ’ ସମାନ ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନରେ PHDCCI ଦ୍ୱାରା ଆୟୋଜିତ ‘ଭାରତ-ଆଫଗାନିସ୍ତାନ ବାଣିଜ୍ୟ ସୁଯୋଗ’ ଅଧିବେଶନରେ ଯୋଗଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ସହ ଆଫଗାନିସ୍ତାନର ସମ୍ପର୍କ ସଂକଟଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ ଠିକ୍ ଏହି ସମୟରେ ଆଫଗାନ ମନ୍ତ୍ରୀଙ୍କ ଭାରତ ଗସ୍ତ ଓ ଏଭଳି ବାର୍ତ୍ତା ବେଶ୍ ଗୁରୁତ୍ୱ ବହନ କରୁଛି।
ନିଜର ପ୍ରଥମ ଭାରତ ଗସ୍ତରେ ଆସିଥିବା ଓମାରି ଭାରତର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରି କହିଛନ୍ତି, “ଏଠାକୁ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ନିଜ ଲୋକଙ୍କ ଗହଣରେ ଅଛି… ଆମର ଡିଏନ୍ଏ ଏକ।” ଦୁଇ ଦେଶର ସମାନ ସଭ୍ୟତା ଓ ଐତିହ୍ୟକୁ ଦର୍ଶାଇ କାବୁଲ (ଆଫଗାନିସ୍ତାନ) ବର୍ତ୍ତମାନ ବାଣିଜ୍ୟ, କୃଷି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବେ ଗ୍ରହଣ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ଓମାରି କହିଛନ୍ତି ଯେ ୮୦ ପ୍ରତିଶତ ଆଫଗାନିସ୍ତାନବାସୀ କୃଷି ଓ ପଶୁପାଳନ ଉପରେ ନିର୍ଭରଶୀଳ ଏବଂ ଭାରତର ସହଯୋଗରେ ଏହାର ଆଧୁନିକୀକରଣ କରାଗଲେ ଆଫଗାନିସ୍ତାନର ବଡ଼ ପରିବର୍ତ୍ତନ ହୋଇପାରିବ।
ଏହି ଗସ୍ତ ସମୟରେ ‘ଭାରତ-ଆଫଗାନିସ୍ତାନ ଯୁଗ୍ମ କମିଟି’ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମାନବୀୟ ସହାୟତା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ପାରସ୍ପରିକ ସହଯୋଗର ସମୀକ୍ଷା କରାଯାଇଛି। ପାକିସ୍ତାନ ପକ୍ଷରୁ ସୃଷ୍ଟି ହେଉଥିବା ଭୂ-ରାଜନୈତିକ ଚାପକୁ ସନ୍ତୁଳିତ କରିବା ପାଇଁ ଆଫଗାନିସ୍ତାନ ବର୍ତ୍ତମାନ ଭାରତ ଆଡ଼କୁ ବନ୍ଧୁତାର ହାତ ବଢ଼ାଉଥିବା ଆନ୍ତର୍ଜାତୀୟ ସମୀକ୍ଷକମାନେ ମତ ଦେଇଛନ୍ତି।




