ରାୟପୁର: ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଶନିବାର ବଣୁଆ ହାତୀ ଆକ୍ରମଣରେ ଦୁଇଟି ପୃଥକ ଘଟଣାରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଘଟଣା ପରେ ରାଜ୍ୟରେ ଗତ ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି।
ସୂଚନା ଅନୁସାରେ, ଧର୍ମଜୟଗଡ଼ ବନ ଡିଭିଜନର କାପୁ ଓ ଛଲ ବନାଞ୍ଚଳରେ ସକାଳ ସମୟରେ ଏହି ଦୁଇଟି ଦୁର୍ଘଟଣା ଘଟିଥିଲା। କାପୁ ବନାଞ୍ଚଳ ଅନ୍ତର୍ଗତ ତଳଗାଁ ଗ୍ରାମକୁ ଏକ ବଣୁଆ ହାତୀ ପଶି ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ହାତୀକୁ ଦେଖି ୩୭ ବର୍ଷୀୟା ଶକୁନ୍ତଳା ବାଇ ଘରୁ ବାହାରି ପଳାଇବାକୁ ଉଦ୍ୟମ କରୁଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି। ତେବେ ତାଙ୍କ ସହ ଥିବା ନାବାଳିକା ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଅନ୍ୟପଟେ, ଛଲ ବନାଞ୍ଚଳର ଔରନାରା ଗ୍ରାମରେ ୫୦ ବର୍ଷୀୟ ବନ୍ଧନ ସିଂହ ଅଗାରିଆ ନାମକ ଜଣେ ଶ୍ରମିକଙ୍କୁ ମଧ୍ୟ ବଣୁଆ ହାତୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ତାଙ୍କର ମଧ୍ୟ ପ୍ରାଣହାନି ଘଟିଛି।
ଗ୍ରାମବାସୀଙ୍କ ସୂଚନା ପାଇବା ପରେ ବନ ବିଭାଗ ଓ ପୁଲିସ ଟିମ୍ ଉଭୟ ସ୍ଥାନରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଅବଶିଷ୍ଟ ୫ ଲକ୍ଷ ୭୫ ହଜାର ଟଙ୍କା ସମସ୍ତ ଆବଶ୍ୟକୀୟ ଔପଚାରିକତା ଶେଷ ହେବା ପରେ ପ୍ରଦାନ କରାଯିବ ବୋଲି ବନ ବିଭାଗ କହିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୯ରେ କୋର୍ବା ଜିଲ୍ଲାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଜଙ୍ଗଲରୁ ଛତୁ ସଂଗ୍ରହ କରିବା ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ବନ ବିଭାଗର ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଛତିଶଗଡ଼ରେ ବଣୁଆ ହାତୀ ଆକ୍ରମଣରେ ୩୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବଢ଼ୁଥିବା ମଣିଷ-ହାତୀ ସଂଘର୍ଷକୁ ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।




