ଭୁବନେଶ୍ୱର: ଓଡ଼ିଶାରେ ସ୍ଥାୟୀ ସହରୀକରଣ ଓ ଜଳବାୟୁ-ସହନଶୀଳ ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭେଲପମେଣ୍ଟ’ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ସମ୍ପନ୍ନ ହୋଇଛି।

ଏହି କେନ୍ଦ୍ର ମାଧ୍ୟମରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହନ, ଗବେଷଣା ଓ ନବୋନ୍ମେଷ, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପଦ୍ଧତିର ପ୍ରସାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହା ରାଜ୍ୟକୁ ଅଧିକ ସବୁଜ, ସ୍ୱଚ୍ଛ ଏବଂ ଭବିଷ୍ୟତମୁଖୀ ସହରରେ ପରିଣତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଓଡ଼ିଶା ଅର୍ବାନ ଏକାଡେମୀ, ଆଇଆଇଟି ଭୁବନେଶ୍ୱର ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସ ମଧ୍ୟରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ, ଆଇଆଇଟି ଭୁବନେଶ୍ୱରର ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚରର ପ୍ରଫେସର ଦିନକର ପାସଲା ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସର ସିଇଓ ଶାଶ୍ୱତ ପାଟରା ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏସ୍‌ବିଏମ୍‌ (ଅର୍ବାନ) ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ପଦକ୍ଷେପର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।

ସେ କହିଥିଲେ, ସହରୀ ବିକାଶ କେବଳ ଭିତ୍ତିଭୂମି ନିର୍ମାଣରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା, ଉନ୍ନତ ଜନସେବା ଓ ଗୁଣାତ୍ମକ ନାଗରିକ ସୁବିଧା ମାଧ୍ୟମରେ ଲୋକଙ୍କ ଜୀବନମାନରେ ସୁଧାର ଆଣିବା ଉଚିତ। ପ୍ରସ୍ତାବିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ରାଜ୍ୟରେ ସ୍ଥାୟୀ ସହରୀ ବିକାଶ ପାଇଁ ଜ୍ଞାନ, ଗବେଷଣା ଓ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।