ପାଟନା: ବିହାରର ବାଙ୍କୀପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଦଳ ଅଭିଷେକ କୁମାରଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ନାମାଙ୍କନ ଦାଖଲ ମଧ୍ୟ କରିଥିଲେ। ତେବେ ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଦଳ ନିରଜ କୁମାର ସିହ୍ନାଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଦଳୀୟ ସୂତ୍ର ଅନୁସାରେ, ପ୍ରାର୍ଥୀ ପରିବର୍ତ୍ତନ ପଛରେ କେବଳ ବ୍ୟକ୍ତିଗତ କାରଣ ନୁହେଁ, ବରଂ ଏକ ପୁରୁଣା ଆଇନଗତ ପ୍ରସଙ୍ଗ ମଧ୍ୟ ରହିଛି। ଅଭିଷେକ କୁମାରଙ୍କ ପିତା ରବିନ୍ଦ୍ର ପ୍ରସାଦ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିରୋଧୀ ଶିବିର, ବିଶେଷକରି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିପାରନ୍ତି ବୋଲି ବିଜେପି ଆଶଙ୍କା କରୁଥିଲା। ଏହି କାରଣରୁ ଦଳ ସମୟ ଥାଉଥାଉ ପ୍ରାର୍ଥୀ ପରିବର୍ତ୍ତନ କରିଥିବା କୁହାଯାଉଛି।

ବର୍ତ୍ତମାନ ବାଙ୍କୀପୁର ଆସନରେ ବିଜେପି ପ୍ରାର୍ଥୀ ନିରଜ କୁମାର ସିହ୍ନାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସିଧାସଳଖ ମୁକାବିଲା ହେବ। ଦୀର୍ଘ ଦିନ ଧରି ଏହି ଆସନ ବିଜେପିର ଦୁର୍ଗ ଭାବେ ପରିଚିତ ଥିବାରୁ ଏଥରର ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି।

ସିବିଆଇ ତଦନ୍ତ ଅନୁଯାୟୀ, ରବିନ୍ଦ୍ର ପ୍ରସାଦ ମଗଧ କେମିକାଲ କର୍ପୋରେସନର ମ୍ୟାନେଜର ଥିବାବେଳେ ୧୩୯ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇଥିଲେ। ୨୦୨୨ରେ ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନେକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ରବିନ୍ଦ୍ର ପ୍ରସାଦଙ୍କୁ ତିନି ବର୍ଷ କାରାଦଣ୍ଡ ମିଳିଥିଲା। ସିବିଆଇ ୫୭୫ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରାୟ ୪,୨୦୦ ଦସ୍ତାବିଜକୁ ଆଧାର କରି ତଦନ୍ତ କରିଥିଲା।

ଦଳର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ଏହି ମାମଲା ସମ୍ପର୍କିତ ସୂଚନା ସମ୍ପ୍ରତି ସେମାନଙ୍କ ନଜରକୁ ଆସିବା ପରେ ପ୍ରାର୍ଥୀ ପରିବର୍ତ୍ତନର ନିଷ୍ପତ୍ତି ନିଆଯାଇଥିଲା। ସୂତ୍ର ମୁତାବକ, ପ୍ରଶାନ୍ତ କିଶୋରଙ୍କ ପାଖରେ ମଧ୍ୟ ଏହି ମାମଲା ସମ୍ପର୍କିତ ଦସ୍ତାବିଜ ଥିବାରୁ ଏହାକୁ ସେ ନିର୍ବାଚନୀ ପ୍ରଚାରରେ ପ୍ରମୁଖ ଅସ୍ତ୍ର କରିପାରନ୍ତି ବୋଲି ବିଜେପି ଆକଳନ କରିଥିଲା।

ଉଲ୍ଲେଖଯୋଗ୍ୟ, ବିଜେପି ନେତା ନିତୀନ ନବୀନଙ୍କ ଇସ୍ତଫା ପରେ ବାଙ୍କୀପୁର ଆସନରେ ଉପନିର୍ବାଚନ ହେଉଛି। ୧୯୯୫ ମସିହାରୁ ଏହି ଆସନରେ ବିଜେପି କେବେ ପରାଜୟର ସମ୍ମୁଖୀନ ହୋଇନଥିବାରୁ ଏଥରର ନିର୍ବାଚନକୁ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଦେଖାଯାଉଛି।