ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଶାସ୍ତ୍ରୀୟ ରୀତିନୀତି ଏବଂ ପାରମ୍ପରିକ ତିଥିକୁ ଅବମାନନା କରି ବିଦେଶରେ ଇସ୍କନ (ISKCON) ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଏହାକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ‘ଉଇ ଫର ଭୁବନେଶ୍ୱର’ ସଂଗଠନ ପକ୍ଷରୁ ରାଜଧାନୀର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।

ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାସ୍ତ୍ର ଅନୁସାରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ଅନୁଷ୍ଠିତ ହୋଇଥାଏ। ଏହାର ଏକ ସ୍ୱତନ୍ତ୍ର ବିଧି ଓ ପରମ୍ପରା ରହିଛି। ମାତ୍ର ଇସ୍କନ ପକ୍ଷରୁ ବିଭିନ୍ନ ସମୟରେ ଅଦିନରେ ରଥଯାତ୍ରା ଆୟୋଜନ କରାଯିବା ଫଳରେ ଏହା ସନାତନ ସଂସ୍କୃତିର ମୌଳିକତାକୁ କ୍ଷତି ପହଞ୍ଚାଉଛି ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ଆବେଗକୁ ଗଭୀର ଆଘାତ ଦେଉଛି।

ବିକ୍ଷୋଭ ସମୟରେ ଆନ୍ଦୋଳନକାରୀମାନେ ନିଜର ଦାବିଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ଉପସ୍ଥାପନ କରିଥିଲେ। ସେମାନେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ସମ୍ମାନ ଜଣାଇବା ସହ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା ପାଳନ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ଗଭର୍ଣ୍ଣିଂ ବଡିକୁ ଅପିଲ କରିଥିଲେ। ମାତ୍ର ଇସ୍କନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହି ବିବାଦ ଆହୁରି ଉଗ୍ର ରୂପ ଧାରଣ କରିଛି।ଆସନ୍ତା ଅଗଷ୍ଟ ୨ ତାରିଖରେ ଆମେରିକାର ଲସ୍ ଆଞ୍ଜେଲସଠାରେ ଇସ୍କନ ପକ୍ଷରୁ ବାର୍ଷିକ ରଥଯାତ୍ରା ଆୟୋଜନ କରିବାକୁ ସୂଚୀ ସ୍ଥିର ହୋଇଛି, ଯାହାକୁ ନେଇ ବିରୋଧ ଜାରି ରହିଛି।

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତିର ମର୍ଯ୍ୟାଦା ରକ୍ଷା କରିବାକୁ ଏବଂ ଆଗାମୀ ସମସ୍ତ ଅଦିନିଆ ରଥଯାତ୍ରାକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଭକ୍ତଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସମଗ୍ର ବିଶ୍ୱରେ ଏକାଭଳି ଉତ୍ସବ ପାଳନ ପାଇଁ ଦାବି ହେଉଛି।