ବରଗଡ଼: ବରଗଡ଼ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଗସ୍ତକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଧାନ କିଣା ଅବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ହେବ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହାର ଚରମ ରୂପ ଦେଖିବାକୁ ମିଳିଛି।
ସ୍ଥାନୀୟ ଚାଷୀ ସଂଗଠନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ବ୍ୟାପକ ବିରୋଧ କରାଯାଇଛି।ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବରଗଡ଼ ଗସ୍ତ ସୂଚନା ପାଇବା ପରେ ସ୍ଥାନୀୟ ଚାଷୀମାନେ ଏକାଠି ହୋଇ ପ୍ରତିବାଦର ରଣନୀତି ପ୍ରସ୍ତୁତ କରିଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହିଁ ପୁଲିସ ଅନେକ ଚାଷୀ ନେତା ଓ ଆନ୍ଦୋଳନକାରୀ ଚାଷୀଙ୍କୁ ଆଗୁଆ ଗିରଫ କରି ନେଇଥିଲା।
ପୁଲିସର ଏହି ଆଗୁଆ ଗିରଫଦାରୀ ସତ୍ତ୍ୱେ ଚାଷୀଙ୍କ ଆକ୍ରୋଶ କମିନଥିଲା।ଉପମୁଖ୍ୟମନ୍ତ୍ରୀ ବରଗଡ଼ ସହରର ଗାନ୍ଧୀ ଛକ ଦେଇ ଅତିକ୍ରମ କରୁଥିବା ସମୟରେ ପୂର୍ବରୁ ଜମା ହୋଇ ରହିଥିବା ଶତାଧିକ ଚାଷୀ ସେଠାରେ ହଙ୍ଗାମା କରିଥିଲେ। ଚାଷୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସମ୍ପୂର୍ଣ୍ଣ ସାମ୍ନାକୁ ଆସି କଳା ପତାକା ପ୍ରଦର୍ଶନ କରିବା ସହ ତୀବ୍ର ସ୍ଲୋଗାନବାଜି କରିଥିଲେ। ଆନ୍ଦୋଳନକାରୀମାନେ ଗାନ୍ଧୀ ଛକରେ “କନକ ବର୍ଦ୍ଧନ ସିଂଦେଓ ଗୋ-ବ୍ୟାକ୍” (Go Back) ନାରା ଦେଇ ପରିବେଶକୁ ଉତ୍ତପ୍ତ କରିଦେଇଥିଲେ।
ମଣ୍ଡିରେ ଧାନ କିଣାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା, କଟନୀ ଛଟନୀ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ନହେବା ନେଇ ସେମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।ପରିସ୍ଥିତି ଅଧିକ ଜଟିଳ ହେବାରୁ ଘଟଣାସ୍ଥଳରେ ମୁତୟନ ଥିବା ପୁଲିସ ଫୋର୍ସ ତୁରନ୍ତ ଆକ୍ସନକୁ ଆସିଥିଲେ। ପୁଲିସ ପ୍ରତିବାଦ କରୁଥିବା ଚାଷୀମାନଙ୍କୁ ସେଠାରୁ ଜବରଦସ୍ତ ଉଠାଇ ନେଇ ଗିରଫ କରିଥିଲା। ଏହି ଘଟଣା ପରେ ବରଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ତେବେ ଚାଷୀଙ୍କ ଏହି ଆନ୍ଦୋଳନ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତାକୁ ବେଶ୍ ବଢ଼ାଇ ଦେଇଛି।




