ଭୁବନେଶ୍ୱର: ବାପା-ଝିଅର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ନିଜ ଜନ୍ମକଲା ବାପାଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଯୌନ ନିର୍ଯାତନାର ଶିକାର ହେବା ପରେ ଅତିଷ୍ଠ ହୋଇ ଜଣେ ୨୨ ବର୍ଷୀୟା ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଗତ ଗୁରୁବାର ଦିନ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ମହିଳା ଜଣକ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଏହି ମହିଳା ଜଣକ ନିଆଁରେ ପୋଡ଼ି ହୋଇ ପ୍ରାୟ ୭୫ ପ୍ରତିଶତ ଜଳି ଯାଇଥିଲେ।
ପ୍ରଥମେ ତାଙ୍କୁ ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ବ୍ରହ୍ମପୁର ହସ୍ପିଟାଲରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା, ଯେଉଁଥିରେ ସେ ନିଜ ବାପା ଓ ଅନ୍ୟ ଦୁଇ ଜଣଙ୍କ ନାଁ ନେଇଥିଲେ। ଏହି ଆଧାରରେ ଶନିବାର ନିମଖଣ୍ଡି ଥାନା ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି, ଯିଏ କି ପେଶାରେ ଜଣେ ଶିକ୍ଷକ।
ମୃତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପୂର୍ବରୁ ତାଙ୍କ ବାପା ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ ଏବଂ ବିବାହ ପରେ ମଧ୍ୟ ଏହି ଅମାନୁଷିକ ନିର୍ଯାତନା ଜାରି ରହିଥିଲା। ଏହି ଘଟଣାରେ ଆଉ ଏକ ଦିଗ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ବାପା ନିଜ ଝିଅର ଶ୍ୱଶୁରଙ୍କଠାରୁ ୧୦ ଲକ୍ଷ ଟଙ୍କା ଧାର ନେଇଥିଲେ, ମାତ୍ର ତାହା ଫେରାଉ ନଥିଲେ।
ଶ୍ୱଶୁର ଟଙ୍କା ମାଗିବା ପରେ ଯେତେବେଳେ ଝିଅ ନିଜ ବାପାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ସେତେବେଳେ ଅଭିଯୁକ୍ତ ଜଣକ ଝିଅକୁ ବ୍ଲାକମେଲ୍ କରିବା ସହ ତାଙ୍କର କିଛି ଅନ୍ତରଙ୍ଗ ଫଟୋ ସାଧାରଣରେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ।ଏହି ମାନସିକ ଚାପ ସହି ନପାରି ମହିଳା ଜଣକ ନିଜ ସ୍ତ୍ରୀତ୍ୱ ଓ ଆତ୍ମସମ୍ମାନ ରକ୍ଷା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ପୋଲିସ ବର୍ତ୍ତମାନ ଘଟଣା ସ୍ଥଳରୁ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ଭୌତିକ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।




