ପୁରୀ: ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ସ୍ୱତନ୍ତ୍ର ‘ରାଜପ୍ରସାଦ ବିଜେ’ ନୀତି। ସ୍ନାନପୂର୍ଣ୍ଣିମା ପରଠାରୁ ଜ୍ୱରରେ ପୀଡ଼ିତ ହୋଇ ଅନବସରରେ ଥିବା ବିଶ୍ୱନିୟନ୍ତା ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦଶମୂଳ ଓଷଧ (ମୋଦକ) ଦିଆଯିବା ପରେ ଚତୁର୍ଦ୍ଧାମୂର୍ତ୍ତି ଆରୋଗ୍ୟ ଲାଭ କରିଛନ୍ତି। ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ସହ ଅନବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିଶେଷ ପ୍ରସାଦକୁ ଧରି ଦଇତାପତି ସେବାୟତମାନେ ଶ୍ରୀନଅରକୁ ବିଜେ କରିଛନ୍ତି।

ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ତେଣୁ ମହାପ୍ରଭୁ ସୁସ୍ଥ ହେବାର ପ୍ରଥମ ଖବର ଗଜପତିଙ୍କୁ ଜଣାଇବାର ଏକ ସୁଦୀର୍ଘ ପରମ୍ପରା ରହିଛି। ଗୁପ୍ତ ପୂଜା ଓ ଉପଚାର ଶେଷ ହେବା ପରେ ମହାପ୍ରଭୁ ସୁସ୍ଥ ହୋଇଥିବା ନେଇ ଦଇତାପତିମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅବଗତ କରାଇଛନ୍ତି।

ଶ୍ରୀନଅରରେ ପହଞ୍ଚିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଚନ୍ଦନ, କରାଳ ଏବଂ ପାଟଡୋରି ଆଦି ଗଜପତିଙ୍କୁ ପ୍ରଦାନ କରିଛନ୍ତି। ଏହି ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହେବା ପରେ ଗଜପତି ମହାରାଜା ଏବଂ ଦଇତାପତି ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ସେବା ଓ ଆଗାମୀ ନୀତିକାନ୍ତି ସମ୍ପର୍କରେ ଆଲୋଚନା ହୋଇଛି।

ସ୍ନାନପୂର୍ଣ୍ଣିମା ଠାରୁ ମହାପ୍ରଭୁ ଗୁପ୍ତ ଅନବସରରେ ରହି ଦଇତାପତିମାନଙ୍କ ଦ୍ୱାରା ଉପଚାରିତ ହେଉଥିଲେ। ବର୍ତ୍ତମାନ ଏହି ଗୁପ୍ତ ସେବା ଓ ଓଷଧ ଲାଗି ନୀତି ସଫଳତାର ସହ ଶେଷ ହୋଇଥିବା ବେଳେ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କାରଣ ମହାପ୍ରଭୁ ସୁସ୍ଥ ହେବା ପରେ ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଥ ପରିଷ୍କାର ହୋଇଛି।