ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ବାବୁଙ୍କ ଘରେ ପୁଣି ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ। ଭୁବନେଶ୍ୱର ଓଡ଼ିଶା କନ୍ଷ୍ଟ୍ରକସନ କର୍ପୋରେସନ ଲିମିଟେଡର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୋମବାର ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ସଞ୍ଜୟ କୁମାର କିସପଟ୍ଟା ପୂର୍ବରୁ କୋରାପୁଟ ଆଇଟିଡିଏ (ITDA) ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜର ଆୟର ଜ୍ଞାତ ଉତ୍ସଠାରୁ ବହୁ ଅଧିକ ସମ୍ପତ୍ତି ସାଉଣ୍ଟିଥିବା ନେଇ ଅଭିଯୋଗ ହୋଇଥିଲା।ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଜିଲାନ୍ସର ଏକ ବିଶାଳ ଟିମ୍, ଯେଉଁଥିରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ସାମିଲ ଅଛନ୍ତି, ସେମାନେ ବିଭିନ୍ନ ସ୍ଥାନରେ ଖୋଳତାଡ଼ କରୁଛନ୍ତି।
ଭିଜିଲାନ୍ସ ଟିମ୍ ମୋଟ ୭ଟି ପ୍ରମୁଖ ସ୍ଥାନରେ ଏକ ସମୟରେ ସର୍ଚ୍ଚ ଅପରେସନ ଚଳାଇଛି:
କୋରାପୁଟ: କୋରାପୁଟ ଟିକ୍ରା ସାହିରେ ଥିବା ତାଙ୍କର ଭଡ଼ା ବାସଭବନ ଏବଂ କୋରାପୁଟ ସହରର କୁମ୍ଭ-୧ ମୌଜାରେ ଥିବା ଏକ ୪ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ କୋଠା। କୋରାପୁଟର କୁମ୍ଭ-୨ ମୌଜାରେ ଚାଲିଥିବା ଏକ ନିର୍ମାଣାଧୀନ ଆବାସିକ ଗୃହ।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲାଟେଇମୁଣ୍ଡା ଗ୍ରାମରେ ଥିବା ପୈତୃକ ବାସଭବନ ଏବଂ ସେହି ଗ୍ରାମରେ ଥିବା ଆଉ ଏକ ନିର୍ମାଣାଧୀନ ୩ ମହଲା ବିଶିଷ୍ଟ କୋଠା।
ଭୁବନେଶ୍ୱର ଓ ବଲାଙ୍ଗୀର: ଭୁବନେଶ୍ୱର ଏବଂ ବଲାଙ୍ଗୀରରେ ଥିବା ତାଙ୍କର ସରକାରୀ ବାସଭବନ ତଥା କାର୍ଯ୍ୟାଳୟ ଚାମ୍ବର।ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ସମୟରେ କେତେ ପରିମାଣର ନଗଦ ଟଙ୍କା, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବାକୁ ବାକି ଅଛି। ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଆକଳନ କରାଯାଉଛି।




