ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ମହାପ୍ରଭୁଙ୍କ ରଥାରୋହଣ ପାଇଁ ଦିନରାତି ଏକ କରି ସେବକମାନେ ନିଜ ନିଜ ସେବାରେ ଲାଗିପଡ଼ିଛନ୍ତି।ସୂଚନା ଅନୁଯାୟୀ, ତିନି ରଥରେ ଠେକେରା ବାଡ଼ ବୁଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହା ସହିତ ରଥଗୁଡ଼ିକର କନକମୁଣ୍ଡିରେ ପିତଳ ସଜ ମଧ୍ୟ ଲାଗି ସାରିଛି। ଅନ୍ୟପଟେ ଦରଜୀ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ରଥ କନା କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ରଥକୁ ସୁସଜ୍ଜିତ କରିବା ପାଇଁ କୋଠ ସୁଆଁସିଆ ସେବକମାନେ ରଥରେ କନା ପକା ବା କନା ମଣ୍ଡଣି କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଦେଇଛନ୍ତି। ରଥଗୁଡ଼ିକୁ ଆକର୍ଷଣୀୟ ରୂପ ଦେବା ପାଇଁ ଚିତ୍ରକାର ସେବକମାନେ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟକୁ ଖୁବ୍ ଶୀଘ୍ର ଶେଷ କରିବାକୁ ଲାଗିଛନ୍ତି। ତିନିରଥର ଘୋଡ଼ା ଗୁଡ଼ିକର ରଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ରଥର ସାରଥୀଙ୍କ ରଙ୍ଗ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଥ ନିର୍ମାଣର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଓଝା କମାର ସେବକମାନଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ଦିନରାତି କାମ କରୁଛନ୍ତି। କୋଠ ସୁଆଁସିଆ ସେବକମାନେ ଯେପରି ରଥରେ ସୂଚାରୁରୂପେ କନା ପକାଇ ପାରିବେ, ସେଥିପାଇଁ ଆବଶ୍ୟକ ହେଉଥିବା ହାତୁଡ଼ି ଓ ଛୁରୀ ଆଦି ଲୁହା ଉପକରଣ ନିର୍ମାଣ କରି ସେମାନଙ୍କୁ ଯୋଗାଇ ଦିଆଯାଇଛି।ଆଉ ମାତ୍ର କିଛି ଘଣ୍ଟାର ପ୍ରତୀକ୍ଷା ପରେ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ବିଜେ କରିବେ। ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ସାରା ବିଶ୍ୱରୁ ଭକ୍ତଙ୍କ ସ୍ରୋତ ଛୁଟିବାରେ ଲାଗିଛି।