ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତର କୁସୁମୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମା’ ଭାଲୁ ଓ ତା’ର ଦୁଇ ଛୁଆଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କୁସୁମୀ ଗ୍ରାମର ଫଗନୁ ଗୌଡ଼ (୩୭) ଅନ୍ୟ ଦୁଇ ଜଣଙ୍କ ସହ ଗ୍ରାମ ଶ୍ମଶାନ ନିକଟ ଅଞ୍ଚଳରେ ଛେଳି ଚରାଉଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ସମୟରେ ସେମାନଙ୍କ ସାମ୍ନାରେ ହଠାତ୍‌ ଏକ ମା’ ଭାଲୁ ଓ ତା’ର ଦୁଇ ଛୁଆ ଆସିପଡ଼ିଥିଲେ। ଛୁଆମାନଙ୍କ ପ୍ରତି ବିପଦ ଆଶଙ୍କା କରି ମା’ ଭାଲୁ ଆକ୍ରମଣ କରିଥିବା କୁହାଯାଉଛି। ପରେ ଦୁଇ ଛୁଆ ଭାଲୁ ମଧ୍ୟ ଆକ୍ରମଣରେ ସାମିଲ ହୋଇଥିଲେ।

ଆକ୍ରମଣ ସମୟରେ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ କୌଣସି ମତେ ସେଠାରୁ ଖସି ପଳାଇ ଗାଁରେ ପହଞ୍ଚି ଘଟଣା ବିଷୟରେ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାବେଳେ ଫଗନୁଙ୍କର ମୃତ୍ୟୁ ହୋଇସାରିଥିଲା।

ଘଟଣାର ସୂଚନା ପାଇ ଝରିଗାଁ ବନ ବିଭାଗ ଏବଂ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ କୁସୁମୀ ଓ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ସତର୍କତାର ସହ ଯିବାକୁ ପରାମର୍ଶ ଦିଆଯାଇଛି।