ପୁରୀ: ଦୀର୍ଘ ୧୪ ଦିନର କାଳ କୋଠରୀର ଅନାସର ଗୃହରେ ସେବା ଶୁଶ୍ରୂଷା ପରେ ଶ୍ରୀମନ୍ଦିରର ତିନି ଠାକୁର ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଅତି ମନୋରମ ତଥା ଦିବ୍ୟ ନବଯୌବନ ବେଶ ଅନୁଷ୍ଠିତ ହେଉଛି। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଶ୍ରଦ୍ଧାଳୁମାନେ ଜୀବନର ପରମ ଆରାଧ୍ୟ ଦେବତାଙ୍କର “ଶ୍ରୀମୁଖ ଦର୍ଶନ” କରି ଭାବବିହ୍ୱଳ ହେବାର ସୌଭାଗ୍ୟ ଲାଭ କରିବେ।

ଗତକାଲି ବିଳମ୍ବିତ ରାତିରୁ ଦତ୍ତମହାପାତ୍ର ଓ ଦଇତାପତି ସେବକମାନଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅତ୍ୟନ୍ତ ଗୋପନୀୟ ଭାବେ ସମ୍ପନ୍ନ କରାଯାଇଛି। ହିଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ଏବଂ କଇଥ ଅଠା ଭଳି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପୁନର୍ବାର ଜୀବନ୍ତ କରାଯାଇଛି।

ଆଜି ନେତ୍ରୋତ୍ସବ ଅବସରରେ ମହାପ୍ରଭୁଙ୍କ ନୟନ ଉନ୍ମୀଳନ ସହ ଚକ୍ଷୁରେ କଜ୍ଜଳ ଦିଆଯାଇ ନୀତି ସମ୍ପନ୍ନ ହୋଇଛି। ଏହା ମହାପ୍ରଭୁଙ୍କ ପୂର୍ଣ୍ଣ ଚୈତନ୍ୟ ଫେରି ପାଇବାର ସଙ୍କେତ ଦିଏ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି:

ପରିମାଣିକ ଦର୍ଶନ (ଟିକେଟଧାରୀ): ଅପରାହ୍ନ ୨:୩୦ ରୁ ୩:୩୦ ପର୍ଯ୍ୟନ୍ତ।

ସର୍ବସାଧାରଣ ଦର୍ଶନ: ଅପରାହ୍ନ ୩:୩୦ ରୁ ସନ୍ଧ୍ୟା ୪:୩୦ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରିପାରିବେ।

ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ଗୁପ୍ତନୀତି ଏବଂ ରଥଯାତ୍ରା ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଶ୍ରୀଜୀଉମାନଙ୍କର ଏହି ନବଯୌବନ ବେଶ ଭକ୍ତ ମନରେ ନୂତନ ଆଶା, ଉଦ୍ଦୀପନା ଓ ଭକ୍ତିଭାବର ଜାଗରଣ ସୃଷ୍ଟି କରେ। ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।