ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ସଭାକୁ ନେଇ ଭାରତୀୟ ରାଜନୀତି ଗରମ ରହିଛି। ଏହି କ୍ରମରେ ‘ମେଲବୋର୍ଣ୍ଣ ମିଟ୍ସ ମୋଦୀ’ କାର୍ଯ୍ୟକ୍ରମର ଆୟୋଜକମାନେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି।

ଜୁଲାଇ ୯ ତାରିଖରେ ମାର୍ଭେଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ‘ପେଡ୍ କ୍ରାଉଡ୍’ ବା ଟଙ୍କା ଦେଇ ଅଣାଯାଇଥିବା ଭିଡ଼ ବୋଲି କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବିକୁ ଆୟୋଜକମାନେ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିପାଇଁ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ଦାବି କରିଛନ୍ତି।

ମେଲବୋର୍ଣ୍ଣର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ୩୦,୦୦୦ ରୁ ଅଧିକ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଥିଲେ। ଏହି ବିଶାଳ ସମାବେଶ ପାଇଁ ସିଡନୀ, ଆଡିଲେଡ୍, ପର୍ଥ ଏବଂ ବ୍ରିସବେନ୍ ଭଳି ସହରରୁ ଲୋକମାନେ ନିଜ ଖର୍ଚ୍ଚରେ ‘ମୋଦୀ ଏୟାରୱେଜ୍’ ନାମକ ଏକ ସ୍ୱେଚ୍ଛାକୃତ ସେବା ମାଧ୍ୟମରେ ଯାତ୍ରା କରିଥିଲେ।

ଚିଠିରେ ଆୟୋଜକମାନେ ଲେଖିଛନ୍ତି: “କଂଗ୍ରେସ କର୍ମକର୍ତ୍ତାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି ସମାବେଶକୁ ବିଜେପି ବା ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବୋଲି କୁହାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ସେଠାକୁ ଯାଇଥିବା ଶ୍ରଦ୍ଧାଳୁ, ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାଧୀନ ନିଷ୍ପତ୍ତି ତଥା ସ୍ୱାଭିମାନ ପ୍ରତି ଏକ ସିଧାସଳଖ ଅପମାନ। କୌଣସି ରାଜନୈତିକ ଦଳ ବା ସରକାର ଏହି କାର୍ଯ୍ୟକ୍ରମ ପାଇଁ ଅର୍ଥ ପ୍ରଦାନ କରିନାହାଁନ୍ତି।”

ଆୟୋଜକଙ୍କ ୩ଟି ପ୍ରମୁଖ ଦାବି:

୧. କଂଗ୍ରେସ ନେତୃତ୍ୱ ସାର୍ବଜନୀନ ଭାବେ ସ୍ୱୀକାର କରନ୍ତୁ ଯେ ‘ମୋଦୀ ଏୟାରୱେଜ୍’ କାର୍ଯ୍ୟକ୍ରମ ପାଇଁ କୌଣସି ସରକାରୀ ବା ବିଜେପି ପକ୍ଷରୁ ପାଣ୍ଠି ଦିଆଯାଇନାହିଁ।

୨. ସଭାରେ ଯୋଗଦେଇଥିବା ଲୋକମାନଙ୍କୁ ‘ଭଡ଼ାଟିଆ ଭିଡ଼’ କହିବା ଅଭିଯୋଗକୁ କଂଗ୍ରେସ ପ୍ରତ୍ୟାହାର କରୁ।

୩. ପ୍ରବାସୀ ଭାରତୀୟ ସମୁଦାୟ, ସ୍ୱେଚ୍ଛାସେବୀ ଏବଂ ଆୟୋଜକଙ୍କ ନିକଟରେ କଂଗ୍ରେସ ଦଳ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁ।

ଆୟୋଜକମାନେ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ବିରୋଧୀ ଦଳ ଭାବେ ପ୍ରଧାନମନ୍ତ୍ରୀ କିମ୍ବା ବିଜେପିର ନୀତିକୁ ସମାଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ, କିନ୍ତୁ ଭାରତୀୟ ରାଜନୈତିକ ବିବାଦ ଭିତରକୁ ପ୍ରବାସୀ ଭାରତୀୟ ସମୁଦାୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ।