ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (RJD) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଖାରଜ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଦାୟର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛନ୍ତି। ଫଳରେ ଲାଲୁଙ୍କ ଜାମିନ ଏବେ କାଏମ ରହିବ।
ଜଷ୍ଟିସ ଏମ.ଏମ. ସୁନ୍ଦ୍ରେଶ ଏବଂ ଜଷ୍ଟିସ ପି.ବି. ବରାଳେଙ୍କୁ ନେଇ ଗଠିତ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ପ୍ରଦାନ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ହାଇକୋର୍ଟରେ ପେଣ୍ଡିଂ ଥିବା ଏହି ସମ୍ପର୍କିତ ଅପିଲଗୁଡ଼ିକର ଶୁଣାଣିକୁ ଆସନ୍ତା ୬ ମାସ ମଧ୍ୟରେ ତ୍ୱରାନ୍ୱିତ କରି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସନାଲ ସଲିସିଟର ଜେନେରାଲ ଏସ.ଭି. ରାଜୁ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଲାଲୁ ଯାଦବଙ୍କୁ ଦଣ୍ଡାଦେଶର ଅଧା ଅବଧି ଜେଲ୍ରେ କାଟିବା ଆଧାରରେ ଜାମିନ ପ୍ରଦାନ କରାଯାଇଛି, ଯାହାର ହିସାବ ସମ୍ପୂର୍ଣ୍ଣ ଭୁଲ୍। ଅପରପକ୍ଷରେ, ଲାଲୁଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ ଯେ, ହାଇକୋର୍ଟ ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ସମସ୍ତ ନିୟମ ଅନୁଯାୟୀ ଏହି ଜାମିନ ପ୍ରଦାନ କରିଛନ୍ତି।ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଭିନ୍ନ ସରକାରୀ ଟ୍ରେଜେରିରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଉଠାଣ କରିବା ନେଇ ଗୋଖାଦ୍ୟ ଦୁର୍ନୀତିର ଏକାଧିକ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୨୦୧୮ ମସିହାରେ ତାଙ୍କୁ ୧୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଯାଇଥିଲା। ଏହି ମାମଲାରେ ୧୯୯୧ ରୁ ୧୯୯୪ ମଧ୍ୟରେ ଦେଓଘର ଟ୍ରେଜେରିରୁ ପ୍ରାୟ ୮୯ ଲକ୍ଷ ଟଙ୍କାର ହେରଫେର ସାମିଲ ଥିଲା। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ଲାଲୁ ଯାଦବ ଜେଲ୍ ଯିବାରୁ ବର୍ତ୍ତି ଯାଇଛନ୍ତି, କିନ୍ତୁ ଏହି ଦୀର୍ଘ ଦିନର ମାମଲାକୁ ଶୀଘ୍ର ଶେଷ କରିବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଉପରେ ଚାପ ବଢ଼ିଯାଇଛି।




