ଢାକା: ବାଂଲାଦେଶର ରାଜନୈତିକ ସଙ୍କଟ ଆହୁରି ଘନୀଭୂତ ହେବାରେ ଲାଗିଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଚଳିତ ବର୍ଷ ଶେଷ ଆଡ଼କୁ ଦେଶକୁ ଫେରିଲେ ତାଙ୍କୁ ସିଧାସଳଖ ଜେଲ୍ ପଠାଯିବ ବୋଲି ବାଂଲାଦେଶର ଜଣେ ବରିଷ୍ଠ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ୨୦୨୪ ଅଗଷ୍ଟରେ ଜନଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହେବା ପରଠାରୁ ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ “ମୃତ୍ୟୁ ଭୟ ନକରି ବାଂଲାଦେଶ ଫେରିବେ” ବୋଲି ଘୋଷଣା କରିଥିଲେ।

ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାମା ଓବାଏଦ୍ ଇସଲାମ କହିଛନ୍ତି ଯେ, ଗତ ନଭେମ୍ବର ମାସରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ହାସିନାଙ୍କୁ ଆଇନ ଆଗରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ସେ କହିଛନ୍ତି: “ଶେଖ୍ ହାସିନା ଯେଉଁଠି ବି ଆତ୍ମସମର୍ପଣ କରନ୍ତୁ, ଭାରତରେ ହେଉ କି ବାଂଲାଦେଶରେ, ତାଙ୍କୁ ପ୍ରଥମେ ଜେଲ୍ ଯିବାକୁ ପଡ଼ିବ।

ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବୟାନ ଉପରେ ସରକାରଙ୍କର କିଛି ବିଚାର କରିବାର ନାହିଁ।”ଲୁଚି ରହିଥିବା ନିଜ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ହାସିନା ଏଭଳି ବୟାନବାଜି କରୁଛନ୍ତି ବୋଲଲା ମନ୍ତ୍ରୀ କହିଛନ୍ତି। ୭୮ ବର୍ଷୀୟା ଶେଖ୍ ହାସିନାଙ୍କ ଶାସନ କାଳରେ ଛାତ୍ର ଆନ୍ଦୋଳନ ଉପରେ ହୋଇଥିବା ହିଂସାତ୍ମକ ଦମନ ଲୀଳା ପାଇଁ ତାଙ୍କୁ ମାନବିକତା ବିରୋଧୀ ଅପରାଧରେ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜ୍ଜାମାନ ଖାନ କମଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ତେବେ ହାସିନା ଏହି ରାୟକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି।ଗିରଫଦାରୀ କିମ୍ବା ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ହାସିନା ନିଜ ମାତୃଭୂମିକୁ ଫେରିବା ପାଇଁ ଜିଦ୍ ଧରିଛନ୍ତି। ସେ କହିଛନ୍ତି, “ସେମାନେ ମତେ ଗିରଫ କରିପାରନ୍ତି କିମ୍ବା ମାରି ମଧ୍ୟ ଦେଇପାରନ୍ତି, ତଥାପି ମତେ ବାଂଲାଦେଶ ଫେରିବାକୁ ହିଁ ହେବ।”