କଟକ: ସିଲଭର ସିଟି କଟକ ପାଇଁ ଆଜି ଏକ ଐତିହାସିକ ଦିନ। କଟକ ବାଦାମବାଡ଼ି ସ୍ଥିତ ପୁରୁଣା ଅନୁଗୁଳ-ପୁରୀ ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଓଡ଼ିଶାର ସର୍ବବୃହତ ‘ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଓ ଗବେଷଣା କେନ୍ଦ୍ର’(Biswanath Pandit Central Library) ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭବ୍ୟ ତଥା ଅତ୍ୟାଧୁନିକ ପାଠାଗାରକୁ ଉଦଘାଟନ କରିଛନ୍ତି।

ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଏକ ବିଶ୍ୱସ୍ତରୀୟ ପଠନ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ପ୍ରାୟ ୩ ଏକରରୁ ଅଧିକ ଜାଗାରେ ଏହି ବୃହତ ପାଠାଗାର ନିର୍ମାଣ କରାଯାଇଛି। ଏଥିପାଇଁ ପାଖାପାଖି ୪୦ କୋଟି ଟଙ୍କା ବିନିମୟ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ହାଇଟେକ୍ ପାଠାଗାରରେ ଏକ ସମୟରେ ୧୭ଶହରୁ ଅଧିକ ଛାତ୍ରଛାତ୍ରୀ ବସି ସୁରୁଖୁରୁରେ ପାଠ ପଢି ପାରିବାର କ୍ଷମତା ରହିଛି।

ଏହି କେନ୍ଦ୍ରୀୟ ପାଠାଗାର କେବଳ ପୁସ୍ତକ ପଠନରେ ସୀମିତ ନରହି ଯୁବପିଢ଼ିଙ୍କ କ୍ୟାରିୟର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଠାରେ ଯୁବକଯୁବତୀମାନେ ଓପିଏସସି, ୟୁପିଏସସି ଭଳି ପ୍ରଶାସନିକ ପରୀକ୍ଷାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍, ରେଲୱେ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉତ୍କୃଷ୍ଟ ପୁସ୍ତକ ଓ ଡିଜିଟାଲ୍ ସମ୍ବଳ ସହାୟତାରେ ନିଜକୁ ପ୍ରସ୍ତୁତ କରିପାରିବେ।

ଡିଜିଟାଲ୍ ଲାଇବ୍ରେରୀ ଓ ୱାଇ-ଫାଇ: ସମଗ୍ର ପରିସରରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସହ ଇ-ବୁକ୍ ପଢ଼ିବାର ସୁବିଧା।

ଆଧୁନିକ ଅଧ୍ୟୟନ ପ୍ରକୋଷ୍ଠ: ଛାତ୍ରଛାତ୍ରୀମାନେ ଯେପରି ବିନା କୌଣସି ବାଧାରେ ଏକାଗ୍ରତାର ସହ ପଢ଼ିପାରିବେ, ସେଥିପାଇଁ ସ୍ୱତନ୍ତ୍ର କ୍ୟାବିନ ବ୍ୟବସ୍ଥା।

ଗବେଷଣା କେନ୍ଦ୍ର: ଉଚ୍ଚଶିକ୍ଷା ଓ ବିଭିନ୍ନ ବିଷୟରେ ରିସର୍ଚ୍ଚ କରୁଥିବା ଗବେଷକମାନଙ୍କ ପାଇଁ ସ୍ୱତନ୍ତ୍ର ସନ୍ଦର୍ଭ ପୁସ୍ତକର ସମ୍ଭାର।

କଟକ ସହର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ହୋଇଥିବାରୁ ଏହି ସର୍ବବୃହତ ପାଠାଗାର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ବହୁ ଦିନର ଆଶାକୁ ପୂରଣ କରିଛି। ଉଦଘାଟନୀ ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ଏବଂ ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ କରି ନିଜ ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ।