ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାସ୍ଥିତ ଭୋଜଶାଳା-କମଲ ମୌଲା ପରିସରର ଧାର୍ମିକ ସ୍ଥିତିକୁ ନେଇ ଚାଲିଥିବା ବିବାଦ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାର ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ମତାମତ ଲୋଡ଼ିଛନ୍ତି।
ଧାର ଜିଲ୍ଲାର ଏହି ଐତିହାସିକ ପରିସରକୁ ଦେବୀ ସରସ୍ୱତୀଙ୍କ ମନ୍ଦିର ଭାବେ ସ୍ୱୀକୃତି ଦେଇଥିବା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ବିବାଦର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ଶୁଣାଣି କରାଯିବ।
ଏହି ସମୟରେ ଅନ୍ତରୀଣ ବ୍ୟବସ୍ଥା ସ୍ୱରୂପ, ମୁସଲିମ ସମ୍ପ୍ରଦାୟକୁ ଶୁକ୍ରବାର ଦିନ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଠ ପାଇଁ ପରିସର ନିକଟବର୍ତ୍ତୀ ଏକ ପୃଥକ ଖୋଲା ସ୍ଥାନ ବ୍ୟବହାର କରିବା ନେଇ ପ୍ରସ୍ତାବ ଦେଇଛନ୍ତି। ସେହିପରି, ଅଦାଲତଙ୍କ ପୂର୍ବ ଅନୁମତି ବିନା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଭୋଜଶାଳା ପରିସରରେ କୌଣସି ପ୍ରକାର ସାଂରଚନିକ ପରିବର୍ତ୍ତନ କରିପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଶୁଣାଣି ସମୟରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ପ୍ରତି ସତର୍କ ରହିବା ଆବଶ୍ୟକ, କାରଣ ଅସାବଧାନତାରେ କହାଯାଇଥିବା କୌଣସି କଥା ଅନାବଶ୍ୟକ ବିବାଦ କିମ୍ବା ଭୁଲ ବାର୍ତ୍ତା ସୃଷ୍ଟି କରିପାରେ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ, ଆଇନ-ଶୃଙ୍ଖଳା ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ମତାମତକୁ ବିଚାର କରି ମାମଲାଟିକୁ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଖଣ୍ଡପୀଠ ସମ୍ମୁଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ।




