ଗୁଣପୁର: ପୁଲିସ ପରିଚୟ ଦେଇ ଘରେ ପଶି ଲୁଟପାଟ କରୁଥିବା ଏକ ଅନ୍ତର୍ଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣ ସଦସ୍ୟଙ୍କୁ ଗୁଣପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ନିକଟରେ ଗୁଣପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପୁଲିସ ସାଜି ପଶି ପ୍ରାୟ ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି।

ପୁଲିସ ସୂଚନା ଅନୁଯାୟୀ, ଗତ ୮ ତାରିଖ ଦିନ ରାମନାଗୁଡା ବ୍ଲକ୍‌ ଅନ୍ତର୍ଗତ ଗରଣ୍ଡା ପଞ୍ଚାୟତର ଲାଗତିଗୁଡ଼ା ଗ୍ରାମର ବାସିନ୍ଦା ତମାନା ହୁଇକାଙ୍କ ଘରକୁ ୬ ଜଣ ଦୁର୍ବୃତ୍ତ ପୁଲିସ ପରିଚୟ ଦେଇ ପ୍ରବେଶ କରିଥିଲେ। ସେମାନେ ସାଙ୍ଗରେ କିଛି ଗଞ୍ଜେଇ ନେଇ ତମାନାଙ୍କୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଧମକ ଦେଇଥିଲେ। ପରେ ଘର ତଲାସି ନାମରେ ଆଲମିରାର ଚାବି ନେଇ ସେଥିରେ ଥିବା ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ଘଟଣା ପରେ ତମାନା ହୁଇକା ଗତ ୧୦ ତାରିଖରେ ଗୁଣପୁର ଥାନାରେ ଏତଲା ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ଥାନା ଅଧିକାରୀ କେ.କେ.ବି.କେ. କଅଁରଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଅଭିଯାନରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୫୪ ହଜାର ଟଙ୍କା, ଦୁଇଟି ମୋଟରସାଇକେଲ ଓ ତିନୋଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାମନାଗୁଡା ବ୍ଲକ୍‌ର ବଦଗୁଡ଼ା ଗ୍ରାମର ଦୁବୁଲା ପାତିକା (୩୫), ଲାଉଗୁଡ଼ା କଲୋନୀର ତନ୍ମୟ ବିଡିକା (୩୫) ଓ ସୁଲୁଡ଼ି ଗ୍ରାମର ସୁଣ୍ଡ ଶବର (୪୧)। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

ପୁଲିସ କହିଛି, ଏହି ଲୁଟ୍‌ ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ଚାଲିଛି। ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।