ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମି କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ସଫଳତା। ବରଗଡ଼ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ‘ବରପାଲି’ର ନବକଳେବର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତା ଜୁଲାଇ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ପୁନଃବିକଶିତ ରେଳ ଷ୍ଟେସନ ସହ ‘ଅମୃତ ଭାରତ ଷ୍ଟେସନ ଯୋଜନା’ (Amrit Bharat Station Scheme) ଅଧୀନରେ ବରପାଲି ଷ୍ଟେସନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟେସନର ଆଧୁନିକୀକରଣ କରାଯାଇଛି। ଏଠାରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବା ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯାଇଛି।

ଷ୍ଟେସନ ବିଲ୍ଡିଂର ସମ୍ପ୍ରସାରଣ କରାଯାଇ ଏକ ଆକର୍ଷଣୀୟ ପ୍ରବେଶ ଦ୍ୱାର ଏବଂ ପ୍ରଶସ୍ତ ପରିକ୍ରମା ଅଞ୍ଚଳ ନିର୍ମାଣ କରାଯାଇଛି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ସୁବିଧା ପାଇଁ ର଼୍ୟାମ୍ପ ବିଶିଷ୍ଟ ଏକ ୧୨ ମିଟର ଓସାରର ଫୁଟ୍ ଓଭର ବ୍ରିଜ୍ ତିଆରି ହୋଇଛି। ପ୍ଲାଟଫର୍ମଗୁଡ଼ିକର ପୁନରୁଦ୍ଧାର, ଆଧୁନିକ ପ୍ରତୀକ୍ଷା ଗୃହ, ଉନ୍ନତ ଶୌଚାଳୟ, ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ଏବଂ ଯାତ୍ରୀ ସୂଚନା ପ୍ରଣାଳୀକୁ ସୁଦୃଢ଼ କରାଯାଇଛି।

ଏହି ପୁନଃବିକାଶର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଷ୍ଟେସନର କାନ୍ଥ ଓ ଆର୍କିଟେକ୍ଚରରେ ପଶ୍ଚିମ ଓଡ଼ିଶାର କଳାର ପ୍ରତିଫଳନ। ବିଶ୍ୱପ୍ରସିଦ୍ଧ ‘ବରପାଲି ଇକତ୍’ ହସ୍ତତନ୍ତର ଡିଜାଇନକୁ ନେଇ ଷ୍ଟେସନର ସମ୍ମୁଖ ଭାଗ ପ୍ରସ୍ତୁତ କରାଯାଇଛି। ଏହା ସହିତ ପ୍ରସିଦ୍ଧ ‘ଡାଲଖାଇ’ ଲୋକନୃତ୍ୟ ଏବଂ ପାରମ୍ପରିକ ଚିତ୍ରକଳାର ମୋଟିଫ୍ ଷ୍ଟେସନକୁ ଏକ ସ୍ଥାନୀୟ ଓ ନିଆରା ପରିଚୟ ପ୍ରଦାନ କରିଛି।

ଷ୍ଟେସନର ଉନ୍ନତ ଭିତ୍ତିଭୂମି ଦ୍ୱାରା ପଶ୍ଚିମ ଓଡ଼ିଶାର କୃଷି, ବ୍ୟବସାୟ, ପର୍ଯ୍ୟଟନ ଏବଂ ସ୍ଥାନୀୟ ଶିଳ୍ପ କ୍ଷେତ୍ରରେ ବଡ଼ ସୁଧାର ଆସିବ। ବିଶେଷକରି ସ୍ଥାନୀୟ ଚାଷୀ, ବୁଣାକାର, କାରିଗର ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ବଜାର ସହ ସହଜରେ ଯୋଡ଼ି ହୋଇପାରିବେ, ଯାହା ଆଞ୍ଚଳିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବ।