ବୌଦ୍ଧ: ଗଞ୍ଜେଇ ଚାଲାଣ ମାମଲାରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ବୌଦ୍ଧ ଜିଲ୍ଲା ପୁଲିସ। ଗଞ୍ଜେଇ ମାଫିଆଙ୍କ ସହ ଜଣେ ପୂର୍ବତନ ଥାନା ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗକୁ ନେଇ ଏବେ ଜିଲ୍ଲା ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଗଞ୍ଜେଇ କାରବାରରେ ସହଯୋଗ କରିଥିବା ଅଭିଯୋଗରେ ବୌଦ୍ଧ ଏସପି ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି ଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ମାମଲାର ତଦନ୍ତ ଚାଲିଥିବା ସମୟରେ ପୂର୍ବତନ ଆଇଆଇସି ଏବଂ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ହୋଇଥିବା କଥିତ ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଥିଲା। ଏହି ଚାଟ୍ରେ ବେଆଇନ କାରବାର ଓ ଚାଲାଣରେ ସହଯୋଗ କରାଯିବା ନେଇ ସନ୍ଦେହଜନକ ତଥ୍ୟ ରହିଥିବା ଜଣାପଡ଼ିଛି। ଏହି ଗୁରୁତର ପ୍ରମାଣକୁ ଆଧାର କରି ବୌଦ୍ଧ ଏସପି ଉକ୍ତ ପୂର୍ବତନ ଥାନା ଅଧିକାରୀଙ୍କୁ ନିଜର ସ୍ପଷ୍ଟୀକରଣ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜାରି କରାଯାଇଥିବା ନୋଟିସ୍ରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସନ୍ତୋଷଜନକ ଉତ୍ତର ରଖିବାକୁ କୁହାଯାଇଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳେ, ତେବେ ତାଙ୍କ ବିରୋଧରେ କଠୋର ବିଭାଗୀୟ ତଥା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି।
ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ବୌଦ୍ଧ ପୁଲିସର କାର୍ଯ୍ୟଶୈଳୀ ଏବଂ ବିଶ୍ୱସନୀୟତାକୁ ନେଇ ସାଧାରଣରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରକ୍ଷକ ସାଜି ଭକ୍ଷକ ସହ ହାତ ମିଳାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ପୁଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଆସିବାକୁ ଥିବା ତଦନ୍ତ ରିପୋର୍ଟ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସ୍ପଷ୍ଟୀକରଣକୁ ଆଧାର କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




