ନୂଆଦିଲ୍ଲୀ: ଯୁଦ୍ଧବିଧ୍ୱସ୍ତ ଗାଜାର ଜନସାଧାରଣଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତିନୋଟି ବଡ଼ ବିକାଶମୂଳକ ପ୍ରକଳ୍ପ ଘୋଷଣା କରାଯାଇଛି। ଭାରତର ଏହି ମହତ ପଦକ୍ଷେପକୁ ବୁଧବାର ପାଲେଷ୍ଟାଇନ ପକ୍ଷରୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଭାରତ ଗାଜାରେ ଏକ ସ୍ପେଶାଲିଟି ହସ୍ପିଟାଲ, ଏକ କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଏବଂ ଏକ ବୃତ୍ତିଗତ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।
ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ ଦୂତାବାସ ଅନୁଯାୟୀ, ଗାଜାରେ ସ୍ପେଶାଲିଟି ହସ୍ପିଟାଲ ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସେଠାକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୁଦୃଢ଼ ହେବ। ଏହାସହ ଚାଲୁ ରହିଥିବା ସଂଘର୍ଷରେ ଗୁରୁତର ଭାବେ ପ୍ରଭାବିତ ଓ ଅଙ୍ଗ ହରାଇଥିବା ହଜାର ହଜାର ଲୋକଙ୍କ ପୁନର୍ବାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ। ଅନ୍ୟପକ୍ଷରେ, ବୃତ୍ତିଗତ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଯୁଦ୍ଧରେ ଭୟଙ୍କର ଭାବେ ଉଜୁଡ଼ି ଯାଇଥିବା ଗାଜାର ଅର୍ଥନୀତି ଓ ସମାଜର ପୁନର୍ଗଠନ ପାଇଁ ସ୍ଥାନୀୟ ଯୁବପିଢ଼ିଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଇ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରାଯାଇପାରିବ।
କ୍ରମାଗତ ଯୁଦ୍ଧ କାରଣରୁ ଗାଜାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଏହି ସହାୟତା ପାଲେଷ୍ଟାଇନ ପାଇଁ ବେଶ୍ ଉପାଦେୟ ହେବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ’ର ଅସ୍ଥାୟୀ ସଦସ୍ୟ (୨୦୨୮–୨୦୨୯) ନିର୍ବାଚନ ପାଇଁ ଭାରତର ଅଭିଯାନ ଶୁଭାରମ୍ଭ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ଘୋଷଣା କରିଥିଲେ।
ଭାରତର ଏହି ମାନବୀୟ ସହାୟତା ବ୍ୟତୀତ, ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହ-ଅବସ୍ଥାନ ପାଇଁ ଭାରତର ପାରମ୍ପରିକ ଦ୍ୱି-ରାଷ୍ଟ୍ର ନୀତି ସମର୍ଥନକୁ ପାଲେଷ୍ଟାଇନ ଉଚ୍ଚ ପ୍ରଶଂସା କରିଛି। ଏଥିସହ ମିଳିତ ଜାତିସଂଘରେ ପାଲେଷ୍ଟାଇନକୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ ପାଇଁ ଭାରତ କରୁଥିବା ସମର୍ଥନ ଏବଂ ସେମାନଙ୍କ ସହ ରଖିଥିବା ଦୀର୍ଘଦିନର ବନ୍ଧୁତା ପାଇଁ ପାଲେଷ୍ଟାଇନ ଦୂତାବାସ ଭାରତ ସରକାର ଓ ଭାରତୀୟ ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛି।




