କୋଝିକୋଡ: ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ନିକଟରେ କେରଳରୁ ଏକ ଚାଞ୍ଚଲ୍ୟକର ସାଇବର ଠକେଇ ଉଦ୍ୟମର ମାମଲା ସାମ୍ନାକୁ ଆସିଛି। ରାଜ୍ୟର କଂଗ୍ରେସ ବିଧାୟକ ବିଦ୍ୟା ବାଲକୃଷ୍ଣନଙ୍କୁ ମନ୍ତ୍ରୀ ପଦର ପ୍ରଲୋଭନ ଦେଖାଇ ୩ କୋଟି ଟଙ୍କା ଦାବି କରାଯାଇଥିଲା। କିନ୍ତୁ ବିଧାୟକଙ୍କ ଚତୁରତା ଓ ସତର୍କତା ଯୋଗୁଁ ସାଇବର ମାଫିଆଙ୍କର ଏହି ବଡ଼ ଯୋଜନା ଫସର ଫାଟିଯାଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୬ ତାରିଖରେ କେରଳର ଏଲାଥୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ବିଦ୍ୟା ବାଲକୃଷ୍ଣନଙ୍କ ପାଖକୁ ଏକ ଅଜଣା ହ୍ୱାଟସଆପ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ଇଂରାଜୀରେ କଥା ହେବା ସହ ନିଜର ପରିଚୟ ‘ରାଜକୁମାର’ ବୋଲି ଦେଇଥିଲେ। ସେ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟରୁ କହୁଥିବା ଦାବି କରିଥିଲେ। ଠକ ଜଣକ କହିଥିଲେ ଯେ, ରାଜ୍ୟରେ କ୍ୟାବିନେଟ୍ ପୁନର୍ଗଠନ ହେବାକୁ ଯାଉଛି ଏବଂ ସେ ତାଙ୍କୁ ମନ୍ତ୍ରୀ କରାଇ ଦେଇପାରିବେ, ଯାହା ବଦଳରେ ୩ କୋଟି ଟଙ୍କା ଦେବାକୁ ପଡ଼ିବ। ଏପରିକି କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ସହ ତାଙ୍କର ସମ୍ପର୍କ ଥିବା କହି ସେ ବିଧାୟକଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ।

ତେବେ ବିଧାୟକ ବିଦ୍ୟା ବାଲକୃଷ୍ଣନ୍ ଆରମ୍ଭରୁ ହିଁ ଏହା ଏକ ସାଇବର ଠକେଇ ବୋଲି ସନ୍ଦେହ କରିଥିଲେ। ସେ ଭୟଭୀତ ନହୋଇ ବରଂ ଅପରାଧୀର ମତିଗତି ଜାଣିବା ପାଇଁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିଲେ ଏବଂ ମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ। କଲ୍ ଶେଷ ହେବା ମାତ୍ରେ ସେ ତୁରନ୍ତ ନିଜ ଜିଲ୍ଲାର ସମ୍ପୃକ୍ତ ସାଂସଦଙ୍କ ସହ ଯୋଗାଯୋଗ କରିଥିଲେ, ଯିଏ କି ବିଧାୟକଙ୍କ ନମ୍ବର ଦେଇଥିବା ଠକ ଜଣକ କହିଥିଲା। ସାଂସଦ ଜଣକ ସ୍ପଷ୍ଟ କରିଥିଲେ ଯେ, କିଛି ସମୟ ପୂର୍ବରୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (AICC) ମୁଖ୍ୟାଳୟ ନାଁରେ ତାଙ୍କ ପାଖକୁ ମଧ୍ୟ କଲ୍ ଆସିଥିଲା ଓ ଜିଲ୍ଲାର ଦୁଇଜଣ ବିଧାୟକଙ୍କ ନମ୍ବର ମଗାଯାଇଥିଲା।

ଏହାପରେ ବିଧାୟକ ଏବଂ ସାଂସଦ ମିଳିତ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କ ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ, ସେଠାରୁ ଏଭଳି କୌଣସି କଲ୍ କରାଯାଇ ନଥିବା ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ନିଶ୍ଚିତ ହେବା ପରେ ବିଧାୟକ କୋଝିକୋଡ ସାଇବର ସେଲ୍‌ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ନକଲି ହ୍ୱାଟସଆପ୍ କଲ୍‌ଟି ଦିଲ୍ଲୀରୁ ଆସିଥିଲା। ପୁଲିସ ଏକ ମାମଲା ରୁଜୁ କରି ଏହି ହାଇପ୍ରୋଫାଇଲ୍ ସାଇବର ଠକେଇରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଚିହ୍ନଟ କରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।