ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ଅବସରରେ ଗୁରୁବାର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏହି ମହାପର୍ବ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଲଗାତାର ବର୍ଷା ସତ୍ତ୍ୱେ ବଡ଼ଦାଣ୍ଡରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଓ ରଥଯାତ୍ରାକୁ ଅପେକ୍ଷା କରି ରହିଛନ୍ତି। ଭକ୍ତ ଓ ଭଗବାନଙ୍କ ଏହି ମହାମିଳନ ପାଇଁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇଛି।
ବୁଧବାର ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ନିର୍ଦ୍ଧାରିତ ସମୟରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପନ୍ନ କରାଯାଇଥିଲା। ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହେବା ପରେ ପୂର୍ବାହ୍ନରେ ତିନି ରଥ ପାଇଁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଆଜ୍ଞାମାଳ ତିନିଟି ରଥରେ ଲାଗି ହେବା ସହ ରଥଯାତ୍ରା ପାଇଁ ଧାର୍ମିକ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।
ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ବ୍ୟାରିକେଡିଂ ସହ ରଥ ଚାରିପାଖରେ ପୁଲିସର ସ୍ୱତନ୍ତ୍ର ସୁରକ୍ଷା ବଳୟ ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ରଥଟଣା ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ ହୋଇପାରିବ।
ଅପରାହ୍ନରେ ରଥଖଳାରୁ ତିନି ଦିବ୍ୟ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ପ୍ରଥମେ ନନ୍ଦିଘୋଷ ରଥକୁ ଭୋଇ ସେବକ, ମହାରଣା ସେବକ ଏବଂ ପୁଲିସ ବାହିନୀଙ୍କ ସହଯୋଗରେ ରଥଖଳାରୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରାଯାଇଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ମଧ୍ୟ ନିର୍ଦ୍ଧାରିତ ସ୍ଥାନକୁ ଅଣାଯାଇଥିଲା।
ବର୍ତ୍ତମାନ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ପହଣ୍ଡି ବିଜେକୁ ଅପେକ୍ଷା କରି ରହିଛି। ଗୁରୁବାର ପହଣ୍ଡି, ଛେରାପହଁରା ଓ ପରେ ବିଶ୍ୱପ୍ରସିଦ୍ଧ ରଥଟଣା ସହ ଆରମ୍ଭ ହେବ ଶ୍ରୀଜଗନ୍ନାଥଙ୍କ ଐତିହାସିକ ଗୁଣ୍ଡିଚା ଯାତ୍ରା।




