ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ରଥଯାତ୍ରାରେ ଭକ୍ତଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ‘ହରିବୋଲ’ ଓ ଭକ୍ତିର ଡୋରିରେ ଟଣା ହୋଇ ମହାପ୍ରଭୁଙ୍କ ତିନି ରଥ ଶେଷରେ ଶରଧାବାଲିସ୍ଥିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ରଥଯାତ୍ରାର ଏହି ଐତିହାସିକ ମୁହୂର୍ତ୍ତକୁ ସାକ୍ଷୀ ରଖି ସମଗ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।
ସକାଳେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଶରଧାବାଲିରେ ପହଞ୍ଚିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରୀଚିକୋଟ ଛକରୁ ଗଡ଼ିବା ଆରମ୍ଭ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ‘ଜୟ ମା’ ସୁଭଦ୍ରା’ ଓ ‘ହରିବୋଲ’ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଥିବାବେଳେ ଅପାର ଉତ୍ସାହର ସହ ଭକ୍ତମାନେ ରଥ ଟାଣିଥିଲେ।
ସମସ୍ତଙ୍କ ନଜର ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରେ। ଗତକାଲି ମାତ୍ର ଦୁଇ ହାତ ଗଡ଼ି ଅଟକି ରହିଥିବା ନନ୍ଦିଘୋଷ ଆଜି ପୁନର୍ବାର ରଥଟଣା ଆରମ୍ଭ ହେବା ପରେ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଅଗ୍ରସର ହୋଇଥିଲା। ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ‘ଜୟ ଜଗନ୍ନାଥ’ ନାରାରେ ବଡ଼ଦାଣ୍ଡ ଭକ୍ତିରସରେ ଭିଜି ଯାଇଥିଲା।
ଗତକାଲି ପହଣ୍ଡି ବେଳେ ଗୁମୁଟ ପାଖରୁ ରଥ ପର୍ଯ୍ୟନ୍ତ ଆସିବାକୁ ମହାପ୍ରଭୁଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ମାତ୍ର ଆଜି କୌଣସି ବାଧାବିଘ୍ନ ବିନା ନିର୍ଦ୍ଧାରିତ ସମୟରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।
ତିନି ରଥ ଶରଧାବାଲିରେ ପହଞ୍ଚିବା ସହ ଘୋଷଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସମାପ୍ତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିବେ। ଏହାପରେ ସାତ ଦିନ ଧରି ଭକ୍ତମାନେ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।




