କୋଚି: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ସୁଦୃଢ଼ ହୋଇଛି। ଭାରତୀୟ ନୌସେନାକୁ ଆମେରିକା ପକ୍ଷରୁ ଆଉ ଏକ ଅତ୍ୟାଧୁନିକ MH-60R Seahawk ବହୁମୁଖୀ ସାମରିକ ହେଲିକପ୍ଟର ହସ୍ତାନ୍ତର କରାଯାଇଛି। କେରଳର କୋଚିରେ ଏହି ହେଲିକପ୍ଟର ନୌସେନାକୁ ପ୍ରଦାନ କରାଯାଇଥିବା ବେଳେ ଚଳିତ ସପ୍ତାହରେ ଆଉ ଦୁଇଟି ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସ ସୂଚନା ଦେଇଛି।
ଏହି ଅବସରରେ ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି, ଏହି ପଦକ୍ଷେପ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ନୂଆ ଶକ୍ତି ଦେବା ସହ ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।
ଭାରତୀୟ ନୌସେନାର ହେଲିକପ୍ଟର ବାହିନୀର ଆଧୁନିକୀକରଣ ପାଇଁ ୨୦୨୦ ମସିହାରେ ଭାରତ ଆମେରିକା ସହ ୨୪ଟି MH-60R Seahawk ହେଲିକପ୍ଟର କ୍ରୟ ନେଇ ଚୁକ୍ତି କରିଥିଲା। ୨୦୨୪ ମାର୍ଚ୍ଚରେ କୋଚିସ୍ଥିତ ଆଇଏନଏସ୍ ଗରୁଡ଼ରେ ପ୍ରଥମ ପର୍ଯ୍ୟାୟର ହେଲିକପ୍ଟରଗୁଡ଼ିକୁ ନୌସେନାରେ ସାମିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ଓ ଲଜିଷ୍ଟିକ୍ ସହାୟତା ପାଇଁ ଭାରତ ସରକାର ଲକହିଡ୍ ମାର୍ଟିନ୍ କମ୍ପାନୀ ସହ ପ୍ରାୟ ୭,୯୯୫ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲେ।
‘ରୋମିଓ’ ନାମରେ ପରିଚିତ MH-60R Seahawk ବିଶ୍ୱର ସବୁଠାରୁ ଆଧୁନିକ ନୌସେନା ହେଲିକପ୍ଟରମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ବୁଡ଼ାଜାହାଜ ବିରୋଧୀ ଅଭିଯାନ, ସାମୁଦ୍ରିକ ନଜରଦାରି, ଯୁଦ୍ଧଜାହାଜରୁ ସାମରିକ ଅପରେସନ, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ମିଶନ ଏବଂ ଜରୁରୀକାଳୀନ ଚିକିତ୍ସା ସହାୟତା ଭଳି ବିଭିନ୍ନ ଦାୟିତ୍ୱ ସଫଳତାର ସହ ପୂରଣ କରିପାରେ।
ଏହି ହେଲିକପ୍ଟରରେ ଅତ୍ୟାଧୁନିକ ମଲ୍ଟି-ମୋଡ୍ ରାଡାର, ହେଲଫାୟାର କ୍ଷେପଣାସ୍ତ୍ର, ହାଲୁକା ଟର୍ପିଡୋ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ସଂଯୋଜିତ ରହିଛି। ଏହା ଭାରତ ମହାସାଗର ଅଞ୍ଚଳରେ ନୌସେନାର ଅପରେସନାଲ୍ କ୍ଷମତାକୁ ବଢ଼ାଇବା ସହ ସାମୁଦ୍ରିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ମତ।




