କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଆମତଲାସ୍ଥିତ ବେଆଇନ ଭାବେ ନିର୍ମିତ ଦଳୀୟ କାର୍ଯ୍ୟାଳୟକୁ ଶନିବାର ଅପରାହ୍ନରୁ ଭାଙ୍ଗିବା ଆରମ୍ଭ କରାଯାଇଛି। ବିନା କୌଣସି ବିଲଡିଂ ପ୍ଲାନ୍ ମଞ୍ଜୁରୀରେ ବେଆଇନ ଭାବେ ନିର୍ମିତ ଏହି ୫ ମହଲା ବିଶିଷ୍ଟ ବିଲଡିଂକୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ କରାଯାଉଛି।
ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଭୂମି ରାଜସ୍ୱ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଙ୍ଗଲ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ର ମିଳିତ ଟିମ୍ ମୁତୟନ ହୋଇଛନ୍ତି। ଏହା ସହିତ ରାଜ୍ୟ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଜୁନ୍ ୩୦ ତାରିଖରେ ଟିଏମସି କର୍ମକର୍ତ୍ତାଙ୍କୁ ଜୁଲାଇ ୧୫ ରେ ଶୁଣାଣି ପାଇଁ ହାଜର ହେବାକୁ ନୋଟିସ ଦିଆଯାଇଥିଲା। ପରେ ଜୁଲାଇ ୭ ରେ କାର୍ଯ୍ୟାଳୟ କାନ୍ଥରେ ଏକ ସ୍ମାରକପତ୍ର ମଧ୍ୟ ମରାଯାଇଥିଲା। ମାତ୍ର ଦଳ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ ପ୍ରଶାସନ ଏହି କଡ଼ା ପଦକ୍ଷେପ ନେଇଛି।
ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟି କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଜାହଙ୍ଗୀର ଖାନଙ୍କ ଭଳି ଦୁର୍ଦ୍ଦାନ୍ତ ଅପରାଧୀମାନେ ଏହି କାର୍ଯ୍ୟାଳୟରୁ ନିଜର ବେଆଇନ ସାମ୍ରାଜ୍ୟ ଚଳାଉଥିଲେ।ସାତଗାଛିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଅଗ୍ନିଶ୍ୱର ନାସ୍କର ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟାଳୟ କେବଳ ବେଆଇନ ଭାବେ ନିର୍ମାଣ ହୋଇନାହିଁ, ବରଂ ଟିଏମସି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ଜୋରଜବରଦସ୍ତ ଜମି ହଡ଼ପ କରାଯାଇ ଏହାକୁ ତିଆରି କରାଯାଇଥିଲା।
ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।




