ନୂଆଦିଲ୍ଲୀ: ପ୍ରସିଦ୍ଧ ପରିବେଶବିତ୍ ତଥା ଜଳବାୟୁ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରେ ଲାଗିଛି। ଦୀର୍ଘ ଦିନ ଧରି ଅନଶନରେ ବସିବା ଯୋଗୁଁ ସେ ଶାରୀରିକ ଭାବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ତାଙ୍କ ଶରୀରରେ ଜଳୀୟଅଂଶ କମିଯାଇଛି। ଶନିବାର ସକାଳେ ଦିଲ୍ଲୀ ପୋଲିସ ସୁରକ୍ଷା ବଳ ସହ ଧାରଣା ସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଛି।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଦୈନିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଦଳ ସକାଳେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କିଛି ଆନ୍ଦୋଳନକାରୀ ବାଧା ସୃଷ୍ଟି କରିବା ପରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ୱାଙ୍ଗଚୁକଙ୍କ ନାଜୁକ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଡାକ୍ତରୀ ନଜରରେ ରଖାଯାଇ ପରୀକ୍ଷା ନିରୀକ୍ଷା କରାଯାଉଛି।
NEET ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ୱାଙ୍ଗଚୁକ ଏହି ଅନଶନ ଚଳାଇଛନ୍ତି। ଆସନ୍ତା ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।
ପତ୍ନୀଙ୍କ ସର୍ତ୍ତ: ଅନ୍ୟପଟେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଅଙ୍ଗମୋ କହିଛନ୍ତି ଯେ, ତାଙ୍କ ପରିବାର କିମ୍ବା ବ୍ୟକ୍ତିଗତ ଡାକ୍ତରଙ୍କ ସହମତି ବିନା ୱାଙ୍ଗଚୁକଙ୍କୁ କୌଣସି ପ୍ରକାରର ପାଟିରେ କିମ୍ବା ଆଇଭି ମାଧ୍ୟମରେ ଔଷଧ ଦିଆଯିବା ଉଚିତ ନୁହେଁ।
ଦିଲ୍ଲୀ ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ “ପ୍ରତ୍ୟେକ ନାଗରିକଙ୍କ ଜୀବନ ମୂଲ୍ୟବାନ”, ତେଣୁ ତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉ।




