କ୍ୱେଟା: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ସାଧାରଣ ନାଗରିକ ଓ ଶିକ୍ଷିତ ଯୁବକମାନଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବଳର ଅତ୍ୟାଚାର ଥମିବାର ନାଁ ନେଉନାହିଁ। ଶନିବାର ଏକ ପ୍ରମୁଖ ମାନବାଧିକାର ସଂଗଠନ ଅଭିଯୋଗ କରିଛି ଯେ, ପାକିସ୍ତାନୀ ସେନା ଦ୍ୱାରା ବଲୁଚିସ୍ତାନରୁ ଆଉ ଦୁଇଜଣ ସାଧାରଣ ନାଗରିକଙ୍କୁ ଜୋରଜବରଦସ୍ତ ଉଠାଇ ନିଆଯାଇ ନିଖୋଜ କରିଦିଆଯାଇଛି। ସମଗ୍ର ପ୍ରଦେଶରେ ବେଆଇନ ହତ୍ୟାକାଣ୍ଡ ଏବଂ ସେନା ଦ୍ୱାରା ନାଗରିକଙ୍କୁ ଗାଏବ କରିଦେବା ଭଳି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏହି ନୂତନ ମାମଲା ସାମ୍ନାକୁ ଆସିଛି।
ମାନବାଧିକାର ସଂଗଠନ ‘ବଲୁଚ୍ ଭଏସ୍ ଫର୍ ଜଷ୍ଟିସ୍’ ର ରିପୋର୍ଟ ଅନୁଯାୟୀ, ବଲୁଚ୍ ଷ୍ଟୁଡେଣ୍ଟସ୍ ଫ୍ରଣ୍ଟ ର କେନ୍ଦ୍ରୀୟ ନେତା ଫଜଲ ବଲୁଚ୍ଙ୍କୁ ଶୁକ୍ରବାର ଭୋର ସମୟରେ ହବ୍ ଚୌକି ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ପାକିସ୍ତାନୀ ସେନା ଉଠାଇ ନେଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଅନୁରୂପ ଭାବେ, ଆଜେରବାଇଜାନରେ ପଢୁଥିବା ଶାହାବ ବଲୁଚ୍ ନାମକ ଜଣେ ଛାତ୍ର ଖରା ଛୁଟିରେ ବଲୁଚିସ୍ତାନ ଫେରିଥିବା ବେଳେ ସେନା ତାଙ୍କୁ ମଧ୍ୟ ବେଆଇନ ଭାବେ ଗାଏବ କରିଦେଇଛି।
ଛାତ୍ର ଓ ଶିକ୍ଷିତ ଯୁବକମାନଙ୍କୁ ଏଭଳି ଭାବେ ଟାର୍ଗେଟ୍ କରିବା ମାନବାଧିକାରର ଚରମ ଉଲ୍ଲଂଘନ ବୋଲି ସଂଗଠନ କହିଛି।
ବଲୁଚ୍ ମହିଳା ଫୋରମ୍ ର କେନ୍ଦ୍ରୀୟ ଆୟୋଜକ ଶାଲି ବଲୁଚ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପାକିସ୍ତାନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ସପ୍ତାହ ମଧ୍ୟରେ ଅନେକ ବଲୁଚ୍ ଯୁବକଙ୍କୁ ସେନା ଉଠାଇ ନେଇଛି। ବଲୁଚିସ୍ତାନର ରାଜନୈତିକ ଚେତନାକୁ ଧ୍ୱଂସ କରିବା, ଅସନ୍ତୋଷକୁ ଚାପିଦେବା ଏବଂ ସେମାନଙ୍କର ଶିକ୍ଷିତ ପିଢ଼ିକୁ ଶେଷ କରିବା ପାଇଁ ପାକିସ୍ତାନ ଏହି ଔପନିବେଶିକ ରଣନୀତି ଆପଣେଇଛି।
ସର୍ବସ୍ୱ ହରାଇ ନିଜ ପିଲାମାନଙ୍କୁ ପଢ଼ାଉଥିବା ପରିବାରଗୁଡ଼ିକ ଆଜି ନିଜ ସନ୍ତାନମାନଙ୍କ ଭାଗ୍ୟକୁ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ବଲୁଚ୍ କର୍ମୀମାନେ ଜାତିସଂଘ (UN) ଏବଂ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି, ଯଦ୍ୱାରା ନିଖୋଜ ଯୁବକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ଏବଂ ପାକିସ୍ତାନକୁ ଏହାର ବର୍ବରତା ପାଇଁ ଦାୟୀ କରାଯାଇପାରିବ।



