ଭୁବନେଶ୍ୱର: ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆସନ୍ତା ଅଗଷ୍ଟ ମାସରେ ନୂଆଦିଲ୍ଲୀରେ ଏକ ମେଗା ‘ଇନଭେଷ୍ଟର୍ସ ରୋଡ୍‌ସୋ’ ଆୟୋଜନ କରିବାକୁ ଯାଉଛନ୍ତି। ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ସାମ୍ନାରେ ପ୍ରଦର୍ଶିତ କରିବା ଏହି ରୋଡ୍‌ସୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶନିବାର ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କରିବେ ନିବେଶକଙ୍କ ସହ ଆଲୋଚନା

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଦିଲ୍ଲୀ ରୋଡ୍‌ସୋ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ସରକାରଙ୍କ ସହଯୋଗୀ ନୀତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆଗାମୀ ଦିନର ବିକାଶ ପାଇଁ ଏକ ପ୍ରମୁଖ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି।

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଟେକ୍ସଟାଇଲ୍, ଅକ୍ଷୟ ଶକ୍ତି, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ଏବଂ ନୂତନ ଯୁଗର ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ସଫଳ ହୋଇଛି। ତେବେ ସରକାରଙ୍କ ବର୍ତ୍ତମାନର ପ୍ରାଥମିକତା ହେଉଛି ରାଜ୍ୟକୁ ଏଭଳି ଶିଳ୍ପ ଆଣିବା, ଯାହା ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ଏବଂ ଯେଉଁ ସବୁ ଶିଳ୍ପ ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତିଷ୍ଠା ହୋଇନାହିଁ, ସେଗୁଡ଼ିକୁ ସ୍ଥାପନ କରିବା। ମୁଖ୍ୟମନ୍ତ୍ରୀଙ୍କ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ସଂକଳ୍ପକୁ ସାକାର କରିବା ପାଇଁ ଏହି ଔଦ୍ୟୋଗିକ ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ କରାଯାଇଛି।

ଶିଳ୍ପ ସହ ଦକ୍ଷତା ବିକାଶ: ପୁଞ୍ଜିନିବେଶ ସହିତ ରାଜ୍ୟର ସ୍ଥାନୀୟ ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ସରକାର ସମାନ ଭାବେ ଧ୍ୟାନ ଦେଉଛନ୍ତି। ଶିଳ୍ପ ପ୍ରତିଷ୍ଠା ଏବଂ ଦକ୍ଷତା ବିକାଶ ପରସ୍ପର ସହ ତାଳ ମିଳାଇ ଚାଲିବ, ଯଦ୍ୱାରା ଓଡ଼ିଶାର ଯୁବପିଢ଼ି ନୂତନ ଶିଳ୍ପ ପ୍ରକଳ୍ପରୁ ସର୍ବାଧିକ ନିଯୁକ୍ତି ଓ ଆର୍ଥିକ ଫାଇଦା ପାଇପାରିବେ।