ମସ୍କୋ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଣି ଥରେ ତୀବ୍ର ଡ୍ରୋନ୍‌ ଆକ୍ରମଣ ଦେଖିବାକୁ ମିଳିଛି। ୟୁକ୍ରେନ୍‌ ପକ୍ଷରୁ ରାତିସାରା ରୁଷ୍‌ର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ କରାଯାଇଥିବାବେଳେ ଏଥିରେ ୭ ଜଣ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଓ ୫୧ ଜଣ ଆହତ ହୋଇଥିବା ରୁଷ୍‌ କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇଛନ୍ତି।

ରୁଷ୍‌ର ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଗୋଦାମଘର, ତୈଳ ଡିପୋ ଏବଂ ଏକାଧିକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ତେବେ ରୁଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁ ସଂଖ୍ୟକ ଡ୍ରୋନ୍‌କୁ ଆକାଶରେ ହିଁ ଧ୍ୱଂସ କରିଦେଇଥିବା ଦାବି କରିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି କହିଛନ୍ତି ଯେ, ଦୀର୍ଘ ପାଲ୍ଲାର ଏହି ଅଭିଯାନରେ ମସ୍କୋ ଓ ତାମ୍ବୋଭ ଅଞ୍ଚଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ କେନ୍ଦ୍ରକୁ ଲକ୍ଷ୍ୟ କରାଯାଇଥିଲା। ତାଙ୍କ ଅନୁଯାୟୀ, ଏହି କେନ୍ଦ୍ରଗୁଡ଼ିକ ଡ୍ରୋନ୍‌ ଓ ନେଭିଗେସନ୍‌ ଉପକରଣ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଣରେ ବ୍ୟବହୃତ ହେଉଥିଲା। ରୁଷ୍‌ର ତୈଳ ଡିପୋଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଦାବି କରିଛନ୍ତି।

ରୁଷ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର ସର୍ବବୃହତ୍‌ ଅନଲାଇନ୍‌ ରିଟେଲ୍‌ କମ୍ପାନୀ ୱାଇଲ୍ଡବେରିଜ୍‌ର ଦୁଇଟି ବଡ଼ ଗୋଦାମ ଆକ୍ରମଣର ଶିକାର ହୋଇଛି। ତାମ୍ବୋଭ ଅଞ୍ଚଳର କୋତୋଭସ୍କସ୍ଥିତ ଗୋଦାମରେ ରାତ୍ରି ଡ୍ୟୁଟିରେ ଥିବା ୭ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ସେହିପରି ମସ୍କୋ ନିକଟସ୍ଥ ଇଲେକ୍ଟ୍ରୋଷ୍ଟାଲରେ ୨୪ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ନୋଗିନସ୍କର ଏକ ତୈଳ ଡିପୋରେ ଡ୍ରୋନ୍‌ ଆକ୍ରମଣ ପରେ ଅଗ୍ନିକାଣ୍ଡ ଘଟିବାରୁ ଦୁଇଜଣ ଆହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟସ୍ଥ ପ୍ରସୂତି ହସ୍ପିଟାଲ ଓ ଏକ ଆବାସିକ କୋଠାକୁ ଖାଲି କରାଯାଇଥିଲା। ଭ୍ଲାଦିମିର୍‌ ଅଞ୍ଚଳର ଏକ ଆବାସିକ କୋଠାରେ ମଧ୍ୟ ଡ୍ରୋନ୍‌ ଆକ୍ରମଣ ପରେ ନିଆଁ ଲାଗିଥିଲେ ମଧ୍ୟ କୌଣସି ଜନହାନି ହୋଇନଥିବା ସ୍ଥାନୀୟ ପ୍ରଶାସନ କହିଛି।

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଅନୁସାରେ, କ୍ରିମିଆ, ଆଜୋଭ ସାଗର, କୃଷ୍ଣ ସାଗର ସମେତ ୧୯ଟି ଅଞ୍ଚଳରେ ମୋଟ ୩୭୯ଟି ୟୁକ୍ରେନୀୟ ଡ୍ରୋନ୍‌କୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱଂସ କରିଛି। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେବାର ଆଶଙ୍କା ବଢ଼ିଛି।