ଆମେରିକା: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଇରାନ ଉପରେ ଆମେରିକାର ସାମରିକ ଆକ୍ରମଣ ଜୋରଦାର ହୋଇଛି। ଆମେରିକା ପକ୍ଷରୁ କରାଯାଇଥିବା ଏହି ଏୟାର ଷ୍ଟ୍ରାଇକ୍ରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦୦ ଜଣ ଆହତ ହୋଇଛନ୍ତି। ଇରାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ହୋସେନ କେରମାନପୁର ଏକ୍ସ (X) ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ମୁଖପାତ୍ରଙ୍କ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ମାଡ଼ରେ ୧୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଆହତଙ୍କ ମଧ୍ୟରୁ ୪୬୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଥିବା ବେଳେ ୩୭ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ସେମାନଙ୍କ ସେନା କ୍ରମାଗତ ଭାବେ ୭ମ ରାତି ପାଇଁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ଶେଷ କରିଛି। ଏହି ଆକ୍ରମଣରେ ଇରାନର ସାମରିକ ଲଜିଷ୍ଟିକ୍ସ, ଗୁପ୍ତଚର ଘାଟି, ଭୂତଳ ଅସ୍ତ୍ରଶସ୍ତ୍ର ଗୋଦାମ ଏବଂ ନୌସେନା ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଛି।
ଏହି ଉତ୍ତେଜନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଆମେରିକା ରାଷ୍ଟ୍ରପତିଙ୍କ ଦସ୍ତଖତକୁ “ମୂଲ୍ୟହୀନ ଓ ଅବୈଧ” ବୋଲି ବର୍ଣ୍ଣନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ ଆମେରିକା ବାରମ୍ବାର ଉଲ୍ଲଂଘନ କରୁଥିବାରୁ ଏହା ପ୍ରମାଣିତ ହୋଇଛି ବୋଲି ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC)ର ସେପାହ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି।
ଆମେରିକା ଆକ୍ରମଣର ଜବାବରେ ଇରାନର IRGC କୁୱେତର ଅଲ ଅହମ୍ମଦୀ ବନ୍ଦରରେ ଥିବା ଆମେରିକୀୟ ନୌସେନାର ଇନ୍ଧନ ସହାୟତା ପିଅର ଏବଂ ବହରିନର ଶେଖ ଇସା ଏୟାର ବେସକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣ ଯୋଗୁଁ କୁୱେତର ଏକ ବିଦ୍ୟୁତ ଓ ଜଳ ବିଶୋଧନ ପ୍ରକଳ୍ପରେ ନିଆଁ ଲାଗିଯାଇଛି। ଅନ୍ୟପଟେ ଜୋର୍ଡାନ ଓ ବହରିନ ନିଜର ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଇରାନର ଅନେକ ମିସାଇଲ ଓ ଡ୍ରୋନକୁ ଆକାଶରେ ଖସାଇ ଦେଇଛନ୍ତି। ଆମେରିକା ସେନାକୁ ଆଶ୍ରୟ ଦେଉଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଇରାନ ଭୟାବହ ପରିଣାମ ଭୋଗିବାକୁ ଚେତାବନୀ ଦେଇଛି।




