ଜମ୍ମୁ-କାଶ୍ମୀର: ପୁଞ୍ଚ୍‌ ଏବଂ ରାଜୌରୀ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ହଠାତ୍‌ ବନ୍ୟା ବ୍ୟାପକ ସ୍ତରରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରବିବାର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି।

ପୁଞ୍ଚ୍‌ ଜିଲ୍ଲାର ସୁରନକୋଟ ତହସିଲ ଅନ୍ତର୍ଗତ ବୁଫ୍ଲିଆଜର ଲୋୟର ମୁର୍ରା ଅଞ୍ଚଳରେ ବନ୍ୟା ମାଡ଼ ହେବା ଯୋଗୁଁ ପ୍ରାଣହାନୀ ଘଟିଛି। ସୁରନକୋଟର ବ୍ଲକ ମେଡିକାଲ ଅଫିସର ଡାକ୍ତର ମହମ୍ମଦ ୟୁସୁଫ ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୮ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ନିଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ ଜାରି ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ବନ୍ୟା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ମୋବାଇଲ ନେଟୱାର୍କ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେବେ ମୁଗଲ ରୋଡ୍ ଏବଂ ରାଜୌରୀ-ପୁଞ୍ଚ୍‌ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ରହିଛି।

ଅନ୍ୟପଟେ ରାଜୌରୀ ଜିଲ୍ଲାରେ ଶନିବାର ସନ୍ଧ୍ୟାରୁ କ୍ରମାଗତ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇଛି। ଦରହଲି, ଖଣ୍ଡଲି, ସୁକତୋ ଏବଂ ଜାମୋଲା ଭଳି ସମସ୍ତ ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ କିମ୍ବା ତା’ ପାଖାପାଖି ପ୍ରବାହିତ ହେଉଛନ୍ତି। ଦରହଲି ନଦୀର ବନ୍ଧ ଭାଙ୍ଗିଯିବାରୁ ବନ୍ୟା ଜଳ ରାଜୌରୀ ସହରର ନୂଆ ବସଷ୍ଟାଣ୍ଡରେ ପଶିଯାଇଛି, ଯେଉଁଥିପାଇଁ ଦଶରୁ ଅଧିକ ଗାଡ଼ି ପାଣିରେ ବୁଡ଼ି ଓ ଭାସି ଯାଇଛି। ଏହାବ୍ୟତୀତ ଅବଦୁଲ୍ଲା ବ୍ରିଜ୍ ଏବଂ ତାରିଖ ବ୍ରିଜ୍ ନିକଟବର୍ତ୍ତୀ ବସ୍ତି ଓ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଯୋଗୁଁ ୫୦ରୁ ଅଧିକ ପରିବାରକୁ ପୋଲିସ ସହାୟତାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରଶାସନ, SDRF ଏବଂ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣିପାଗ ବିଭାଗ ଜୁଲାଇ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଥିବାରୁ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ପାଇଁ ରବିବାର ଅପରାହ୍ନରେ ଦିଲ୍ଲୀ ଗସ୍ତ ବାତିଲ କରି ସିଧାସଳଖ ଜମ୍ମୁ ଅଭିମୁଖେ ବିମାନ ଯାତ୍ରା କରିଛନ୍ତି। ସେ ସ୍ଥାନୀୟ ବିଧାୟକମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।